Categories: ଖେଳ

ଗ୍ରାଣ୍ଟ ଇଲିଅଟଙ୍କ ଛକା ସ୍ମୃତିରେ ସବୁଜ ରଙ୍ଗର ଚେୟାର

ନ୍ୟୁଜିଲାଣ୍ଡର ଐତିହାସିକ ଇଡେନ ପାର୍କରେ ରହିଛି ଏକ ଭିନ୍ନ ରଙ୍ଗର ଚେୟାର। ଷ୍ଟାଡିୟମର ସମସ୍ତ ଚେୟାର ରଙ୍ଗ ଧୂସର ହୋଇଥିବାବେଳେ ଗୋଟିଏ ଚେୟାରକୁ ସବୁଜ ରଙ୍ଗ ଦିଆଯାଇଛି। ଏହା ପଛରେ ଏକ ବିଶେଷ କାରଣ ରହିଛି। ୨୦୧୫ ବିଶ୍ୱକପ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଗ୍ରାଣ୍ଟ ଇଲିଅଟ ଛକା ମାରି ଦଳକୁ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରାଇଥିଲେ। ଉକ୍ତ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଅନ୍ତିମ ଦୁଇ ବଲରେ ୫ ରନ୍‌ ଦରକାର ଥାଏ। ଦୁର୍ଦ୍ଧର୍ଷ ପେସର ଡେଲ ଷ୍ଟେନଙ୍କ ସମ୍ମୁଖରେ ଥିଲେ ଇଲିଅଟ। ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଇଲିଅଟ ଲଙ୍ଗ ଅନ୍‌ ଅଞ୍ଚଳକୁ ଏକ ବିରାଟ ଛକା ମାରି ୪୦ ବର୍ଷର ଅପେକ୍ଷାର ଅନ୍ତ କରିଥିଲେ। ସେହି ଛକା ନ୍ୟୁଜିଲାଣ୍ଡ କ୍ରିକେଟ ପ୍ରଶଂସକଙ୍କ ମନରୁ କଦାପି ଲିଭି ପାରିନାହିଁ। ଯେଉଁ ସିଟ୍‌ରେ ବଲ ପଡ଼ିଥିଲା, ତାକୁ ଗ୍ରୀନ ରଙ୍ଗ ଦିଆଯାଇଛି। କେବଳ ଏତିକି ନୁହେଁ, ସିଟ୍‌ ପଛରେ ଉକ୍ତ ଛକା ସମ୍ପର୍କରେ ବିବରଣୀ ମଧ୍ୟ ରହିଛି। ଏଠାରେ ୨୦୧୫ ମାର୍ଚ୍ଚ ୨୪ ତାରିଖରେ ପଡ଼ିଥିବା ଇଲିଅଟଙ୍କ ବଡ଼ ଛକା ଯୋଗୁ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଫାଇନାଲ ଖେଳିଥିଲା। ସିଟ୍‌ର ଗ୍ରୀନ ରଙ୍ଗ ଦକ୍ଷିଣ ଆଫ୍ରିକାର ଜର୍ସିକୁ ଦର୍ଶାଉଥିବା ଲିଖିତ ରହିଛି।

Share