ଗ୍ରାମବାସୀଙ୍କୁ ଭୟଭୀତ କରିବା ମହଙ୍ଗା ପଡ଼ିଲା: ଯୁବକ ଗିରଫ, ଦେଶୀ ବନ୍ଧୁକ ଜବତ

ପଦ୍ମପୁର,୩୦।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଜମଲା ଗ୍ରାମର ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇବା ମହଙ୍ଗା ପଡ଼ିଛି। ପଦ୍ମପୁର ଥାନା ପୋଲିସ ଯୁବକଙ୍କ ଘରେ ଚଢ଼ାଉ କରି ବନ୍ଧୁକ ଜବତ କରିବା ସହ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ସେ ହେଲେ ଗ୍ରାମର ରାଜକିଶୋର ମେହେର।
ରାଜକିଶୋର ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଉଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ପଦ୍ମପୁର ଥାନା ଆଇଆଇସି ମାନସ ରଞ୍ଜନ ପ୍ରଧାନ ଓ ଏସ୍‌ଆଇ ସୌମ୍ୟ ରଞ୍ଜନ ପାତ୍ର ତାଙ୍କ ଘରେ ଚଢ଼ାଉ କରିଥିଲେ। ତେବେ ତାଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିସହ ଅଧିକ ପଚରାଉଚରା ପାଇଁ ତାଙ୍କୁ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି।

Share