ଗ୍ରାମବାସୀଙ୍କ ଧାରଣା ପରେ ଅବରୋଧ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ପ୍ରକୃତ ସ୍ଥାନରୁ ଉଚ୍ଛେଦ ହଟାଯାଇ ନ ଥିବାରୁ ଅସନ୍ତୋଷ

ବାହାନଗା, ୧୪ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚକଜଗନ୍ନାଥପୁର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ ଅଧାରେ କାମ ଅଟକିଛି ା କେତେକ ବ୍ୟକ୍ତି ସରକାରୀ ଜମିକୁ ଅବରୋଧ କରି ରଖିଥିବାରୁ ଏହି କାମ ଆଗେଇ ପାରୁନାହିଁ। ଏ ସମ୍ପର୍କରେ ଗ୍ରାମବାସୀ ପ୍ରଶାସନଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଗ୍ରାମବାସୀ ତହସିଲ ଆଗରେ ଧାରଣା ଦେବା ପରେ ତହସିଲଦାର ଅବରୋଧ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ ୩ଦିନ ପରେ ଅର୍ଥାତ ଗୁରୁବାର ପ୍ରଶାସନ ତରଫରୁ ଅବରୋଧ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋର ତହସିଲଦାର ଦେବୀପ୍ରସାଦ ଦାସ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ। ତାଙ୍କ ସହିତ ଖନ୍ତାପଡା ଆରଆଇ ରଶ୍ମିରେଖା ସେଠୀ, ଅମିନ, ସୁପରଭାଇଜର, ଖନ୍ତାପଡା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ଓ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ଉପସ୍ଥିତ ଥିଲେ। ହେଲେ ଯେଉଁ ସ୍ଥାନ ଉପରେ ଗ୍ରାମବାସୀଙ୍କ ଅଭିଯୋଗ ଥିଲା ସେହି ଜମିରେ ପ୍ରଶାସନ ଅବରୋଧ ଉଚ୍ଛେଦ ନ କରି ଯେଉଁମାନେ ଧାରଣାରେ ବସିଥିଲେ ସେମାନଙ୍କ ବ୍ୟକ୍ତିଗତ ଜମି ଉପରେ ଥିବା ପାଚେରି, ଗେଟ ଓ ବାଡକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ସୋର ତହସିଲଦାର ଦେବୀପ୍ରସାଦ ଦାସଙ୍କୁ ପଚାରିବାରୁ ସେ କିଛି କହିପାରିବେ ନାହିଁ। ଯେଉଁମାନଙ୍କର ଅଭିଯୋଗ ଅଛି ସେମାନେ ଜିଲାପାଳ କିମ୍ବା ଉପଜିଲାପାଳଙ୍କଠାରେ ଅଭିଯୋଗ କରିପାରିବେ ବୋଲି କହିଥିଲେ। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତ ଶ୍ୟାମସୁନ୍ଦର ପଣ୍ଡା, ବାଇଧର ଜେନା, ରବୀନ୍ଦ୍ର ପଣ୍ଡା, ପଦ୍ମାବତୀ ମହାଳି ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ପକ୍ଷରୁ ଉଦ୍ଦେଶ୍ୟମୂଳକ ଭାବେ ଆମ ବ୍ୟକ୍ତିଗତ ଜମି ଉପରେ ଥିବା ଗଛ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରାଯାଇଛି। ପ୍ରଶାସନର ଏଭଳି ବୈମାତୃକ ମନୋଭାବ ବିରୋଧରେ ଗ୍ରାମବାସୀ ହାଇକୋର୍ଟଙ୍କ ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।