ଗ୍ରାମବାସୀଙ୍କ ସହିତ ଥାଳି, ଘଣ୍ଟ ବଜାଇଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୨୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ରବିବାର ସବୁଠି ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଥିଲା। କରୋନା ମୁକାବିଲା ଲାଗି ଲୋକେ ସ୍ବତଃସ୍ଫୁର୍ତ୍ତ ଭାବେ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଥିଲେ। ଫଳରେ ରାସ୍ତାଘାଟ ପରିବେଶ ଶୂନଶାନ୍‌ ହୋଇ ପଡିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନକ୍ରମେ ଅପରାହ୍ନ ୫ଟାରେ ଲୋକେ ଘରଦୁଆର ଆଗରେ ଥାଳି, ଘଣ୍ଟ ବଜାଇଥିଲେ। ଏଥିରୁ ବାଦ୍‌ ପଡି ନ ଥିଲେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ, ପ୍ରାଣୀ ସମ୍ପଦ, ଦୁଗ୍ଧ ଉତ୍ପାଦନ ଓ ମତ୍ସ୍ୟ ପାଳନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ଏମ୍‌ପି ପ୍ରତାପ ଷଡଙ୍ଗୀ। ସେ ତାଙ୍କ ନୀଳଗିରି ଗୋପୀନାଥପୁର ଶାସନସ୍ଥିତ ବାସଭବନରେ ଗ୍ରାମବାସୀଙ୍କ ସହିତ ଥାଳି, ଘଣ୍ଟ ବଜାଇ କରୋନା ମୁକାବିଲା ଲାଗି କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥାର କର୍ମଚାରୀଙ୍କୁ ସମର୍ଥନ ଜଣାଇଥିଲେ।