ଗ୍ରାମସଭାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ଯୋଡ଼ା,୧୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ଏକ ଶିଳ୍ପସଂସ୍ଥାର କାରଖାନା ନିର୍ମାଣ ପାଇଁ ହୋଇଥିବା ଗ୍ରାମସଭାକୁ କେନ୍ଦ୍ରକରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଛି। ଏ ନେଇ ଗଣ୍ଡଗୋଳର ଆଶଙ୍କା କରି ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି। ଯୋଡ଼ା ଥାନା ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗତ ଶୁକ୍ରବାର ଲହଣ୍ଡାଠାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମସଭା ସରିବା ପରେ ସନ୍ଧ୍ୟାରେ ଗ୍ରାମସଭା ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଗ୍ରାମସଭା ବିରୋଧୀ ଗୋଷ୍ଠୀ ସପକ୍ଷବାଦୀଙ୍କ ଘରକୁ ଯାଇ ଗଣ୍ଡଗୋଳ କରିବା ପାଇଁ ଉଦ୍ୟମ କରୁଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସପକ୍ଷବାଦୀଙ୍କ ପକ୍ଷରୁ ପୋଲିସକୁ ଜଣାଇବା ପରେ ଉଭୟ ଗୋଷ୍ଠୀକୁ ଶନିବାର ଯୋଡ଼ା ଥାନାକୁ ପୋଲିସ ଡକାଇ ଆପୋସ ବୁଝାମଣା ପାଇଁ ଉଦ୍ୟମ ଜାରି କରିଥିବା ଯୋଡ଼ା ଥାନା ଆଇଆଇସି ବିଜୟକୃଷ୍ଣ ମହାପାତ୍ର କହିଛନ୍ତି। ତେବେ ଶନିବାର ସନ୍ଧ୍ୟାସୁଦ୍ଧା ଏହି ବିବାଦର କୌଣସି ସମାଧାନ ହୋଇପାରି ନ ଥିବା ଜଣାପଡ଼ିଛି। ସୂଚନା ଯେ, ଏକ ଶିଳ୍ପସଂସ୍ଥା ପକ୍ଷରୁ ଯୋଡ଼ା ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମରେ କାରଖାନା ନିର୍ମାଣ ନିମନ୍ତେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ରୂପାନ୍ତରିତ କରିବା ପାଇଁ ବ୍ଲକ ପକ୍ଷରୁ ବିଭିନ୍ନ ଗ୍ରାମରେ ସଭା କରାଯାଇଥିଲା। ଉକ୍ତ ଗ୍ରାମସଭାକୁ କେନ୍ଦ୍ରକରି କିଛି ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା ା ତେବେ ଅଞ୍ଚଳରେ ଏହାକୁ ନେଇ ଏବେ ମଧ୍ୟ ଚାପା ଉତ୍ତେଜନା ଲାଗିରହିଛି।