Categories: ଅପରାଧ

ଗ୍ରାମସଭାରେ ପୋଖରୀ ମାଛ ଧରା ଚାନ୍ଦାକୁ ନେଇ ଗଣ୍ଡଗୋଳ, ଜଣେ ମୃତ

ଛେଣ୍ଡିପଦା,୧୨।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତର ଗୋହିରାପଶି ଗ୍ରାମରେ ମଙ୍ଗଳବାର ରାତି ୯ଟା ସମୟରେ ଗ୍ରାମସଭା ଚାଲିଥିବା ବେଳେ ଅଘଟଣ ଘଟିଛି। ପୋଖରୀ ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ପରେ ମାରପିଟ୍‌ ଲାଗିବା ଯୋଗୁ ଜଣଙ୍କର ମୃତ୍ୟୁ ଘଟିିଛି। ମୃତକ ହେଲେ ଅନାମ ଖିଲାର।

ସୂଚନାନୁଯାୟୀ, ଗୋହିରାପଶି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଗ୍ରାମ ସଭା ଚାଲିଥିଲା। ଏଥିରେ ପୋଖରୀ ମାଛଧରା ଚାନ୍ଦା ଘଟଣାକୁ ନେଇ ଅନାମ ଓ ଗ୍ରାମର କିଛି ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ଯୁକ୍ତିତର୍କ ଧିରେ ଧିରେ ଉଗ୍ର ରୂପ ଦେବା ସହ ସେମାନେ ମାରପିଟ୍‌ ହୋଇଥିଲେ। ଫଳରେ ଅନାମ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଖବରପାଇ ପରିବାରଲୋକେ ସେଠାରେ ପହଞ୍ଚି ଅନାମଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଅ ଜଗବନ୍ଧୁ ଖିଲାର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଛେଣ୍ଡିପଦା ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ଘଟଣାର ତଦନ୍ତ କରିବା ସହିତ ମୃତଦେହକୁ ଜବତ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ବେଳେ ଗାଁ ସଭାପତି ଚୈତନ୍ୟ ଖିଲାର ଫେରାର ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।