ଗ୍ରାମାଞ୍ଚଳରେ ସଚେତନତା ଜୋର୍‌ଦାର କରିବାକୁ ପରାମର୍ଶ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଜୋର୍‌ଦାର ପ୍ରୟାସ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସରକାରୀ ଏବଂ ଘରୋଇ ସଂସ୍ଥା ମଧ୍ୟ ବନ୍ଦ କରାଗଲାଣି। ଏଭଳି ସ୍ଥିତିରେ ଜିଲା ଏବଂ ଗ୍ରାମାଞ୍ଚଳରେ ଅଧିକ ସଚେତନତା ଲାଗି ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସହରାଞ୍ଚଳରେ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଦେଖିବାକୁ ମିଳିବାପରେ ଜିଲା ଏବଂ ଗ୍ରାମାଞ୍ଚଳ ଉପରେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ଲୋକଙ୍କ ସୁବିଧା ଲାଗି ପଞ୍ଚାୟତଗୁଡ଼ିକ ପାଇଁ ୫ ଲକ୍ଷ ଟଙ୍କା ଲେଖା ଅନୁମୋଦନ କରାଯାଇଛି। ବୁଧବାର ଲୋକସେବା ଭବନଠାରେ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ(ଭିସି) ଜରିଆରେ ୩୦ଟି ଜିଲାର ଜିଲାପାଳ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ୩୧୪ ବ୍ଲକର ବିଡିଓମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଜିଲା ଏବଂ ଗ୍ରାମାଞ୍ଚଳରେ କରୋନା ସଚେତନତା ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ତ୍ରିପାଠୀ କହିଛନ୍ତି ଯେ, ଲୋକମାନଙ୍କ ଭିତରେ ସଚେତନତା ଆସିଲେ କରୋନାକୁ ହରାଇବା ସହଜ ହୋଇପାରିବ। କରୋନା ସମ୍ପର୍କିତ ରାଜ୍ୟ ସରକାରଙ୍କ ବିଭିନ୍ନ ପରାମର୍ଶ, ନିର୍ଦ୍ଦେଶାବଳୀ ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରିବାକୁ ୫-ଟି ସଚିବ ଭି-କାର୍ତ୍ତିକେୟନ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା, ପେନସନ୍‌ ଓ ରାଶନ ସାମଗ୍ରୀ ସହଜରେ ପ୍ରଦାନ କରାଯାଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାଛଡ଼ା ଅଙ୍ଗନଓ୍ବାଡିରେ ପିଲାଙ୍କ ନିକଟରେ ଆଗୁଆ ଶୁଖିଲା ଖାଦ୍ୟ ପହଞ୍ଚାଇବା ଏବଂ ଏଏନ୍‌ଏମ୍‌ ଓ ଆଶାକର୍ମୀମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ଔଷଧ ପହଞ୍ଚାଇବାକୁ ଅଧିକାରୀଙ୍କୁ କୁହାଯାଇଛି।

Share