ଗ୍ରାମାଞ୍ଚଳ କ୍ରିକେଟ୍‌ରଙ୍କୁ ଉତ୍ସାହିତ କରୁଛନ୍ତି ‘ବନମାଳୀ’: ସଫଳ ବ୍ୟାଟ୍‌ ପ୍ରସ୍ତୁତକାରୀ ହେବା ଲକ୍ଷ୍ୟ

ସାକ୍ଷୀଗୋପାଳ, ୩୦।୭(ଡି.ଏନ୍‌.ଏ.)-ପିଲାଦିନରୁ ତାଙ୍କର କ୍ରିକେଟ୍‌ ଖେଳ ପ୍ରତି ଆଗ୍ରହ ରହିଥିଲା। ନଡ଼ିଆ ବାହୁଙ୍ଗା କିମ୍ବା ପତଳା ପଟା ଖଣ୍ଡେ ମିଳିଗଲେ ସେଥିରେ ବ୍ୟାଟିଂ ଆରମ୍ଭ କରିଦେଉଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଆବଶ୍ୟକ ବ୍ୟାଟ୍‌, ବଲ୍‌ ଆଦି ସରଞ୍ଜାମ କିଣିବା ତାଙ୍କ ପାଇଁ ସମ୍ଭବ ହେଉ ନ ଥିଲା। କ୍ରିକେଟ୍‌ ଖେଳିବା ନିଶାଯୋଗୁ ସେ ପାଖ ଜଙ୍ଗଲରୁ କାଠ ସଂଗ୍ରହ କରି କଟୁରି ସାହାଯ୍ୟରେ ବ୍ୟାଟ୍‌ ତିଆରି କରି ଖେଳୁଥିଲେ। ବଡ଼ ହେବା ପରେ ନିଜର ପିଲାଦିନର ଅଭାବ କଥାକୁ ମନେ ପକାଇ ବର୍ତ୍ତମାନର ଅଭାବୀ ପିଲାମାନଙ୍କ ପାଇଁ ବ୍ୟାଟ୍‌ ତିଆରି କରୁଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକ ପୋଡ଼ଙ୍ଗସାହି ଗ୍ରାମର ବନମାଳୀ ବିଶ୍ୱାଳ।

ବକୁଳବନ ବଜାରରେ ଛୋଟିଆ ପାନ ଦୋକାନ କରିଛନ୍ତି। ଜଣେ ହ୍ୟାଣ୍ଡମେଡ୍‌ ବ୍ୟାଟ୍‌ ପ୍ରସ୍ତୁତକାରୀ ଭାବରେ ସେ ଅଞ୍ଚଳରେ ତାଙ୍କର ବେଶ୍‌ ଖ୍ୟାତି ରହିଛି। ବନମାଳୀ କାଠରେ ନୂଆ ବ୍ୟାଟ୍‌ ତିଆରି କରିବା ସହିତ ବ୍ୟାଟ୍‌ ମରାମତି କରିବା କାମରେ ଲାଗିଛନ୍ତି। ଗ୍ରାମାଞ୍ଚଳର ସବୁ କ୍ରିକେଟ ଖେଳାଳି ବଜାରରୁ ବ୍ୟାଟ୍‌ କିଣି ଖେଳିବା ସମ୍ଭବ ହେଉ ନ ଥିବାବେଳେ ସେମାନଙ୍କୁ କମ୍‌ ମୂଲ୍ୟରେ ବ୍ୟାଟ୍‌ ଯୋଗାଉଛନ୍ତି ବନମାଳୀ। ବଜାରରେ ବିକ୍ରି କରାଯାଉଥିବା ବ୍ୟାଟ୍‌ ଭଳି ସେ ମଧ୍ୟ ବ୍ୟାଟ୍‌ ତିଆରି କରି ସ୍ଥାନୀୟ କ୍ରିକେଟର୍‌ଙ୍କ ସହ ସାକ୍ଷୀଗୋପାଳ, ପୁରୀ, ଜଟଣୀ, ଭୁବନେଶ୍ୱରରେ ଥିବା ଖେଳ ଉପକରଣ ଦୋକାନଗୁଡ଼ିକୁ ଯୋଗାଇଦେଉଛନ୍ତି। ବ୍ୟାଟ୍‌ ତିଆରି ପାଇଁ ଆବଶ୍ୟକ ଯନ୍ତ୍ରାଂଶ ଓ ସରଞ୍ଜାମ ମଧ୍ୟରେ କାଠ, କରତ, ବଟାଳି, ଖଲି ବଟାଳି, ମୁନା, ସାଇଣ୍ଡର ମେଶିନ, ଅଠା, ସୂତା, ଷ୍ଟିକର ଓ ହ୍ୟାଣ୍ଡେଲ ସଂଗ୍ରହ କରନ୍ତି। ଗୋଟିଏ ବ୍ୟାଟ୍‌ ପ୍ରସ୍ତୁତ କରିବାକୁ ଦୁଇଦିନ ଲାଗୁଥିବା ବେଳେ ତାକୁ ୩ ଶହରୁ ୪ ଶହ ଟଙ୍କାରେ ବିକ୍ରୟ କରୁଛନ୍ତି। ବିଶେଷ ଲାଭ ହେଉ ନ ଥିଲେ ମଧ୍ୟ ଆଗକୁ ସରକାରୀ ସହାୟତା ମିଳିଲେ ଆଧୁନିକ ଯନ୍ତ୍ରାଂଶ ଓ ସରଞ୍ଜାମ କିଣି ସେ ଲାଭବାନ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତିି। ପିଲାବେଳର ଅଭାବୀ ଜୀବନକୁ ସେ ବେଶ୍‌ ଅନୁଭବ କରି ପାନ ଦୋକାନ ସହିତ ଚାଷ କାମରେ ନିୟୋଜିତ ହେବା ସଙ୍ଗେସଙ୍ଗେ ଜଣେ ସଫଳ ବ୍ୟାଟ୍‌ ପ୍ରସ୍ତୁତକାରୀ ଭାବରେ ନିଜର ପରିଚୟ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି କୁହନ୍ତି।