‘ଗ୍ରାମାଞ୍ଚଳ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରାଯିବ’

ଭଦ୍ରକ ଅଫିସ, ୧୮ା୧୨- ଗ୍ରାମାଞ୍ଚଳରେ ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯିବ। ଏଥିଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗ୍ରାମାଞ୍ଚଳ ଶିଶୁଙ୍କୁ ଶିକ୍ଷାଭିମୁଖୀ କରିବା ସକାଶେ ଅଧିକ ସ୍କୁଲ ଖୋଲିବା ସହ ଗରିବ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ଏଭଳି ଯୋଜାନରେ ଶିକ୍ଷାର ଗୁଣାତ୍ମକ ମାନ ବଢି ପାରିବ। ରାଜ୍ୟ ସରକାରଙ୍କର ଏହି ଉଦ୍ଦେଶ୍ୟ ଫଳପ୍ରଦ କରିବାରେ ଅଭିଭାବକ, ଶିକ୍ଷକ, ଛାତ୍ରୀଛାତ୍ରଙ୍କ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକ ବ୍ଲକର ଓଲଙ୍ଗଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟନ ଅବସରରେ ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ଜିଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ବାଇଁ, ଜିଲା ପରିଷଦ କ୍ଷୀରୋଦ କୁମାର ରାଉତ, ସରପଞ୍ଚ ଦେବୀଦତ୍ତା ମହାନ୍ତି, ସମିତିସଭ୍ୟ ରାଧାଶ୍ୟାମ ବେହେରା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଶମ୍ଭୁନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।
ଉଲଙ୍ଗରେ ଗତବର୍ଷଠାରୁ ଏକ ଅସ୍ଥାୟୀ କ୍ୟାମ୍ପସ୍‌ରେ ଏହି ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିଲା। ଏବେ ନିଜସ୍ବ ଗୃହ ସମେତ ଛାତ୍ରାଙ୍କ ପାଇଁ ଅଲଗା ହଷ୍ଟେଲ ବ୍ୟବସ୍ଥା କରାଯାଇଛି। ଏଠାରେ ଛାତ୍ରୀଛାତ୍ର ମାଗଣାରେ ହଷ୍ଟେଲରେ ରହି ଶିକ୍ଷା ଲାଭ କରି ପାରିବେ। ନବନିର୍ମିିତ କୋଠା ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଗ୍ରାମାଞ୍ଚଳର ପ୍ରତିଭାକୁ ବିକଶିତ କରି ଆଗକୁ ଆଣିବା ଲାଗି ସରକାର ସଦାସର୍ବଦା ଚେଷ୍ଟା ଚଳାଇଛନ୍ତି ବୋଲି କହିଥିଲେ। ଏହି ଉତ୍ସବରେ ସମସ୍ତ ଛାତ୍ରୀଛାତ୍ର, ଅଭିଭାବକ ଉପସ୍ଥିତ ଥିଲେ। ଏଥିପୂର୍ବରୁ ମନ୍ତ୍ରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ନିମନ୍ତେ ଏକ ପାଠାଗାର ଗୃହର ମଧ୍ୟ ଉଦ୍‌ଘାଟନ କରିଥିଲେ।