ଗ୍ରାମୀଣ ଆବାସ ଯୋଜନା ବାଟବଣା :  ଯୋଗ୍ୟହିତାଧିକାରୀଙ୍କ ପାଖରେ ପହଞ୍ଚୁନି ଯୋଜନା

ରଣପୁର,୭।୮(ସ୍ବ.ପ୍ର.)-ନୟାଗଡ଼ ଜିଲାର ରଣପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ପରି ଗ୍ରାମୀଣ ଆବାସ ଯୋଜନା ବାଟବଣା ହୋଇପଡିଛି । ବିଭିନ୍ନ ପଞ୍ଚାୟତରେ ୨୦ରୁ ୩୦ ହଜାର ଟଙ୍କା ନ ଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ ମିଳୁ ନ ଥିବା ଅଭିଯୋଗ ହେଉଛି । ଟଙ୍କା ଦେଲେ ଏସି ଲାଗିଥିବା କୋଠାଘର ସଦସ୍ୟଙ୍କୁ ମଧ୍ୟ କାର୍ଯ୍ୟାଦେଶ ମିଳୁଛି। ପୂର୍ବରୁ ମୋ କୁଡ଼ିଆ ଯୋଜନା, ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ପୁଣି ଥରେ କାର୍ଯ୍ୟାଦେଶ ଦିଆ ହେଉଛି । ଏଣୁ ଗରିବ,ଖଟିଖିଆ ମେହନତି ମଣିଷଙ୍କ ପରି ଯୋଗ୍ୟହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି ଯୋଜନା । ଯାହାର ନଜିର ବ୍ରଜରାଜପୁର ଓ ବଜ୍ରକୋଟ ପଞ୍ଚାୟତରେ ଦେଖିବାକୁ ମିଳିଛି।
ବ୍ରଜରାଜପୁର ପଞ୍ଚାୟତ ବାସିନ୍ଦା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ ଚାଲିଥିବା ଅନିୟମତତା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେମାନେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ନୟାଗଡ଼ ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରି ଅନିୟମିତତାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି ବଜ୍ରକୋଟ ପଞ୍ଚାୟତର ଭେରୁପଡା ଗଁାରେ ୩୦ ବର୍ଷର ପୁରୁଣା ଘରକୁ ଦେଖାଇ ଦୁଇ ହିତାଧିକାରୀ ବିଲ୍‌ ପାସ କରି ନେଲେ । ଅଭିଯୋଗ ପରେ ତଦନ୍ତ ଚାଲିଲା । ହେଲେ ତଦନ୍ତର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ରଣପୁର ବ୍ଲକର ୩୭ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀ ଅଣଦେଖା ହୋଇ ରହୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ରେ କାର୍ଯ୍ୟାଦେଶ ପାଇବାକୁ ହେଲେ ୨୦ରୁ ୩୦ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡୁଛି । କିଛି କୁଜି ନେତା ଓ ଗଁା ଟାଉଟର ଏହି ଟଙ୍କା ଆଦାୟ କରି ନେବା ପରେ କାର୍ଯ୍ୟାଦେଶ ଦିଆଯାଇଛି । କିଛି ସରକାରୀ କର୍ମଚାରୀ, ରାଜନେତା ଏହି ଲାଞ୍ଚ ଟଙ୍କା ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ଲାଞ୍ଚ ନ ଦେଲେ ବିଭିନ୍ନ ପ୍ରକାରର ବାହାନା ଦେଖାଇ ଗରିବ ହିତାଧିକାରୀଙ୍କୁ ସମୟ ଗଡା ଚାଲିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ ଘର ନ ମିଳିବା ପରେ ବିଡିଓ, ଉପଜିଲାପାଳ, ଜିଲାପାଳଙ୍କ ନିକଟରେ ଯୋଗ୍ୟ ହିତାଧିକାରୀମାନେ ଯାଇ ଅଧିକାଂଶ ସମୟରେ ଅଭିଯୋଗ କରିଥାନ୍ତି। ସବୁଠି ପ୍ରତିଶ୍ରୁତି ମିଳେ । କିନ୍ତୁ ତାହା ପୂରଣ ହୋଇ ନ ଥାଏ। ଏହିପରି ବହୁ ଯୋଗ୍ୟ ହିତାଧିକାରୀ ପ୍ରତାରିତ ହୋଇଥିବାର ନଜିର ରହିଛି । ଏନେଇ ବ୍ରଜରାଜପୁର ପଞ୍ଚାୟତ ଲତାର ଗଁାର ଭିକାରୀ ମହାପାତ୍ର କୁହନ୍ତି ମୋ ପଞ୍ଚାୟତରେ ୨୦ ରୁ ୩୦ ହଜାର ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ ମିଳୁଛି । ମୁଁ ଜଣେ ଗରିବ ହୋଇଥିବାରୁ ଏତେ ଟଙ୍କା ମୋ ପାଖରେ ନ ଥିବାରୁ ସରକାରୀ ଯୋଜନା ମୋ ପାଇଁ ସ୍ବପ୍ନ ହୋଇ ରହିଛି । ଘର ଟିଏ ପାଇବା ପାଇଁ ବିଡିଓଙ୍କୁ ବାରମ୍ବାର ଦାବି କରିଛି। ହେଲେ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ଭଙ୍ଗା ଚାଳ ଘର ହଟୁ ନାହିଁ । ବଜ୍ରକୋଟ ପଞ୍ଚାୟତ ଭେରୁପଡା ଗଁାର ଚଇନି ସାହୁ କୁହନ୍ତି ମୋ ଗଁାରେ ଦୁଇ ହିତାଧିକାରୀ ପୁରୁଣା ଆଜବେଷ୍ଟସ ଘରକୁ ଦେଖାଇ ସରକାରୀ ଅନୁଦାନ ଲୁଟି ନେଲେ । ଏହି ଅନିୟମିତତାରେ ରାଜନେତା, ବ୍ଲକ କର୍ମଚାରୀ, ପଞ୍ଚାୟତ କର୍ମଚାରୀ ସାମିଲ ଥିଲେ ମଧ୍ୟ ତଦନ୍ତ ଆଗକୁ ବଢ଼ୁନି । ମୋ ବାପା ଭଙ୍ଗା କୁଡିଆରେ ରହି ସାପ କାମୁଡାରେ ପ୍ରାଣ ହରାଇଲେ । ଦେଖାଯାଉ ମୋ ଜୀବନ କିପରି କଟୁଛି ବୋଲି ଚଇନି କହିଥିଲେ। ଏ ସମ୍ପର୍କରେ ବ୍ରଜରାଜପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ସ୍ବାଇଁ କୁହନ୍ତି ମୋ ଘର ଏଠାରେ ହୋଇ ନ ଥିବାରୁ ମୁଁ କୌଣସି ହିତାଧିକାରୀଙ୍କୁ ଜାଣିନି । କାର୍ଯ୍ୟାଦେଶ ଦେବା ପାଇଁ ଘର ଅନୁଧ୍ୟାନ ସମୟରେ ଆମକୁ ଅନ୍ୟଘର ଦେଖାଇ ବେଳେବେଳେ କେତେକ ଫାଇଦା ମାରି ନେଉଛନ୍ତିି । ଅଭିଯୋଗ ପରେ ଆମେ ସଂଶୋଧନ କରୁଛୁ । ବିଡିଓ ରଶ୍ମିରେଖା ଦାଶଙ୍କୁ ପଚାରିବାରୁ ସେ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇବା ପାଇଁ ଲାଞ୍ଚ ନିଆଯାଉଥିବା କଥାକୁ ଅସ୍ବୀକାର କରିଥିଲେ। ଅନ୍ୟାନ୍ୟ ଅଭିଯୋଗକୁ ଏଡାଇ ଦେଇଥିଲେ।

Share