ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଦିଗହରା: ଭଙ୍ଗା ଘରେ ଅସହାୟ ମହିଳା

କପ୍ତିପଦା,୯ା୮(ଡ଼ି.ଏନ୍‌.ଏ.)- ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ହିତାଧିକାରୀମାନଙ୍କୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପକ୍କା ଘର ଯୋଗାଇ ଦେବାକୁ ନିୟମ କରିଛନ୍ତି। ପ୍ରକୃତ ହିତାଧିକାରୀ କିପରି ଏହି ଯୋଜନାରେ ସାମିଲ ହେବେ ସେଥିନେଇ ପ୍ରତି ପଞ୍ଚାୟତରେ ଗ୍ରାମସଭା ଓ ପଲ୍ଲିସଭା ମାଧ୍ୟମରେ ତାଲିକା ପ୍ରସ୍ତୁତ କରାଯାଉଛି। ମାତ୍ର ଏହି ଯୋଜନା କପ୍ତିପଦା ବ୍ଲକ୍‌ରେ ସମ୍ପୂର୍ଣ୍ଣ ଦିଗହରା ହୋଇଛି। ଏହି ବ୍ଲକର ଅଧିକାଂଶ ପଞ୍ଚାୟତରେ ହିତାଧିକାରୀଙ୍କ ନାମ ଗ୍ରାମସଭା ସଭା ତାଲିକାରେ ଥିଲେ ମଧ୍ୟ ଘର କରିଦେବୁ କହି ସେମାନଙ୍କଠାରୁ ୧୦ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ଜଣେ ହିତାଧିକାରୀ ନାମ ଗୋପନ ରଖି କହିଛନ୍ତି। ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡୁଥିବା ବେଳେ ଥିଲାବାଲା ଏହି ଯୋଜନାର ଫାଇଦା ନେଉଛନ୍ତି। ଏଥିରେ କେତେକ ସରକାରୀ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତଥିବା ଅଭିଯୋଗ ହେଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ୍‌ ଅଧୀନ ଲାବଣ୍ୟଦେଈପୁର ପଞ୍ଚାୟତ ଢିପାସାହି ଗ୍ରାମରେ ା ଏହି ଗ୍ରାମର ବିଧବା ମହିଳା ଦଶମା ବେୱା (୭୦) ଅସହାୟ ଭାବେ ଜୀବନ ବିତାଉଛନ୍ତି। ତାଙ୍କ ପୁଅ ଥିଲେ ମଧ୍ୟ ସେ ପରିବାର ନେଇ ଅନ୍ୟତ୍ର ରହୁଛନ୍ତି। ମାସକୁ ରାଶନକାର୍ଡରେ ୫ କିଲୋ ଚାଉଳ ଓ ୫୦୦ଟଙ୍କା ଭତ୍ତା ହିଁ ତାଙ୍କର ସାହାରା ା ଏହା ସରିଗଲେ ପରିଣତ ବୟସରେ ପର ଘରେ ମୂଲ ନ ଲାଗିଲେ ଦଶମାଙ୍କ ଚୁଲି ଜଳେ ନାହିଁ। ଭଙ୍ଗା କାନ୍ଥ ଓ ନଡା ଛପର ଘରେ ସେ ବିପଦସଙ୍କୁଳ ଅବସ୍ଥାରେ ବସବାସ କରୁଛନ୍ତି। ଭଙ୍ଗା ଘର ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କୁହନ୍ତି, ପ୍ରତିବର୍ଷ ପଞ୍ଚାୟତରେ ହେଉଥିବା ଗ୍ରାମସଭା ଓ ପଲ୍ଲିସଭାରେ ଘର ପାଇଁ ତାଙ୍କ ନାମ ଦିଅନ୍ତି ା ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କୁ କାହିଁକି ଘର ମିଳୁ ନାହିଁ ତାହା ସେ ଜାଣିପାରୁ ନାହାନ୍ତି। ଘର ବାବଦରେ ଯାହାକୁ ଯେତେ କାକୁତିମିନତି ହେଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନ ଥିବା ସେ ପ୍ରକାଶ କରିଛନ୍ତି ା ଏ ସଂକ୍ରାନ୍ତରେ ସେ ଜିଲାପାଳ, ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆବଶ୍ୟକ ପଡ଼ିଲେ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏଥିନେଇ କପ୍ତିପଦା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ମୁଁ ଜାଣିନି ଓ ସରପଞ୍ଚଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି।