ଗ୍ରାମ୍ୟ ପାନୀୟ ଜଳଯୋଗାଣ ଯୋଜନା ଦିଗହରା

ହାଟଡିହୀ, ୨୦। ୫(ଡି.ଏନ୍‌.ଏ.)- ଦିନକୁ ଦିନ ଖରା ତାତି ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଏପରିସ୍ଥଳେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଅଧିକାଂଶ ଅଞ୍ଚଳରେ ପାନୀୟ ଜଳାଭାବ କଦେଖାଦେଇଛି। ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଥାଇ ନ ଥିଲା ପରି ରହିଛି। ଜଳକ୍ଳିଷ୍ଟ ଅଞ୍ଚଳର ଅଚଳ ପ୍ରକଳ୍ପ ମରାମତି କରି ପାନୀୟଜଳ ଯୋଗାଣ ସକାଶେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ପରିବର୍ତ୍ତେ ପଞ୍ଚାୟତ ଉପରେ ଦୋଷ ଲଦି ଦାୟିତ୍ୱ ଖସାଉଥିବାରୁ ଏ ନେଇ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ହାଟଡିହୀ ବ୍ଲକର ୩୧ ପଞ୍ଚାୟତରେ ୨୯ଟି ଗ୍ରାମ୍ୟ ଜଳଯୋଗାଣ ଗୃହ ନିର୍ମାଣ ହୋଇ ୨୭ଟି ପଞ୍ଚାୟତକୁ ଜଳ ଯୋଗାଣ ହେଉଥିବା ବିଭାଗ ପକ୍ଷରୁ କୁହାଯାଉଛି। ୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନାହିଁ। କିନ୍ତୁ ଏସବୁ ଅଞ୍ଚଳର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଉପଯୁକ୍ତ ତଦାରଖ ଓ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସ୍ଥାନରେ ପାଇପ୍‌ ଓ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିରୁଜି ଗଲାଣି। କେତେକ ସ୍ଥାନରେ ତଳମୁଣ୍ଡରେ ପାଣି ପହଞ୍ଚୁନାହିଁ । ଅଥଚ ସରକାରୀ ସ୍ତରରେ ପ୍ରକଳ୍ପ ଠିକ୍‌ଠାକ୍‌ ଚାଲିଥିବା ସଫେଇ ଦିଆଯାଉଛି। ସ୍ଥାନୀୟ ଡଅଁର ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି ଯେ,ଏଠାରେ ଲକ୍ଷାଧିକ ଟଙ୍କାରେ ପ୍ରକଳ୍ପ ନିର୍ମାଣ କରି ଗ୍ରାମର ପ୍ରତି ଘରକୁ ପାଇପ୍‌ ଜଳଯୋଗାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହାମଧ୍ୟରେ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଲୋକଙ୍କୁ ପାଇପ୍‌ ପାଣି ମିଳିପାରୁନାହିଁ। ପ୍ରକଳ୍ପ ଲାଗି ତିଆରି ହୋଇଥିବା ଘର ଗୁହାଳଠାରୁ ହୀନହୋଇ ପଡିଛି। ଓରାଳିରେ ଥିବା ଜଳଯୋଗାଣ ପ୍ରକଳ୍ପରେ ନାନା ଅବ୍ୟବସ୍ଥା ଲାଗି ରହିଥିବାରୁ ଜଳଯୋଗାଣ ହୋଇପାରୁନାହିଁ। ଏହି ପ୍ରକଳ୍ପ ତିଆରି ବେଳେ ନିମ୍ନମାନର କାମକରି କାଗଜ କଲମରେ ଅନୁଦାନ ହଡ଼ପ କରାଯାଇଥିବାରୁ ଏଭଳି ସମସ୍ୟା ମୁଣ୍ଡ ଟେକିଛି। ଜିଲା ପ୍ରଶାସନ ଏ ସବୁର ଉଚ୍ଚସ୍ତରୀୟ ତଦନ୍ତ କରି ପାଇପ ଜଳଯୋଗାଣକୁ ସୁବ୍ୟବସ୍ଥିତ କରିବା ଲାଗି ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଉତ୍ସବ ଜେନାଙ୍କୁ ପଚାରିବାରୁ କହିଛନ୍ତି, ଜଳ ଯୋଗାଣ କ୍ଷେତ୍ରରେ କୌଣସି ଅସୁବିଧା ଦେଖାଦେଲେ ତାହାର ମରାମତି ଦାୟିତ୍ୱ ସଂପୃକ୍ତ ପଞ୍ଚାୟତକୁ ଦିଆଯାଇଛି। ଏଥିଲାଗି ପଞ୍ଚାୟତକୁ ଅନୁଦାନ ମଧ୍ୟ ମିଳିଛି। ତେବେ ପ୍ରଶାସନ ସମସ୍ୟାକୁ ଅନୁଧ୍ୟାନ କରି ଦେଖିବ ବୋଲି ସେ କହିଛନ୍ତି।