ଗ୍ରାମ୍ୟ ରାସ୍ତାରେ ଭାରିଯାନ ଚଳାଚଳ : ଯାତାୟାତ ବାଧାପ୍ରାପ୍ତ

ବଡ଼ବିଲ,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗ୍ରାମକୁ ଯାଇଥିବା ରାସ୍ତାରେ ଏକ କମ୍ପାନୀର ପରିବହନ କାର୍ଯ୍ୟ ଯୋଗୁ ଶୁକ୍ରବାର ରାତିରୁ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ହୋଇଯାଇଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗ୍ରାମକୁ ଯାଇଥିବା ଏକମାତ୍ର ରାସ୍ତା ଦେଇ ଉକ୍ତ କମ୍ପାନୀର ଭାରିଯାନ ଯାତାୟାତ କରୁଥିଲେ ହେଁ ରାସ୍ତା ନିର୍ମାଣ କରାଯାଉ ନାହିଁ କି ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତାଟି କଚ୍ଚା ହୋଇଥିବାରୁ ଭାରିଯାନ ଚଳାଚଳ କରିବାରୁ ବିରାଟ ଗର୍ତ୍ତସବୁ ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। କମ୍ପାନୀ ଉକ୍ତ ରାସ୍ତାର ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।