ଗ୍ରାମ୍ୟ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି

ଅମରେନ୍ଦ୍ର ଦାସ

କରୋନାରେ ସମଗ୍ର ବିଶ୍ୱ ବ୍ୟାପକ ଭାବରେ ପ୍ରଭାବିତ ହେଉଥିବା ସମୟରେ ଏହା ଅନେକ ନୂତନ ସମ୍ଭାବନାର ଆଶା ସଞ୍ଚାର କରିଛି। ଏହି ସୁଯୋଗକୁ ଆମ ରାଜ୍ୟ ହାତଛଡା କରିବା ଉଚିତ ନୁହେଁ। କାରୋନା ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଅନିଶ୍ଚିତତା ଆଣିବା ଦ୍ୱାରା ଅଧିକାଂଶ ଦେଶ ସ୍ବଦେଶୀ ଦ୍ରବ୍ୟ ଉତ୍ପାଦନ ଏବଂ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ନାଗରିକମାନଙ୍କୁ ପ୍ରାଧାନ୍ୟ ଦେବା ଆରମ୍ଭ କଲେଣି। ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୫ରେ ଦେଶର ସରପଞ୍ଚମାନଙ୍କ ସହ ଆଲୋଚନା ସମୟରେ ଦେଶକୁ ସ୍ବାବଲମ୍ବୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
କରୋନା ନିୟନ୍ତ୍ରଣକୁ ନେଇ ସେହିପରି ରାଜ୍ୟମାନଙ୍କ ମଧ୍ୟରେ ଅବିଶ୍ୱାସ ଉପୁଜୁଛି। ଉଦାହରଣ ସ୍ବରୂପ ଓଡ଼ିଶା ସରକାର କରୋନା ନିୟନ୍ତ୍ରଣ ପାଇଁ ଅନେକ ଦୃଢ ପଦକ୍ଷେପ ନେଉଥିବା ବେଳେ ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଆଶାନୁରୂପ ପଦକ୍ଷେପ ନେଉନାହିଁ। ଫଳରେ ପଶ୍ଚିମବଙ୍ଗରେ ଥିବା ଅନେକ ଓଡ଼ିଆ ନାଗରିକ ଆମ ରାଜ୍ୟକୁ କରୋନା ଆକ୍ରାନ୍ତ ହୋଇ ଫେରୁଛନ୍ତି। ଏହି ପରିସ୍ଥିତିରେ ପଡ଼ୋଶୀ ରାଜ୍ୟ ଉପରେ ଭରସା କରିହେବ ନାହିଁ। ଲକ୍ଷାଧିକ ଓଡ଼ିଆ ଶ୍ରମିକ ଗୁଜରାଟର ସୁରଟ ସହରରେ ସୂତାକଳ, ହୀରା ଗହଣା କାରଖାନାରେ କାର୍ଯ୍ୟରତ। ଗୁଜରାଟ ସରକାରଙ୍କର ଉଦାସୀନତା ହେଉ ବା ବହୁଳ ଜନସଂଖ୍ୟାଜନିତ ପରିଚାଳନାଗତ ତ୍ରୁଟି ହେଉ, ସେଠାରେ କାର୍ଯ୍ୟରତ ଅଧିକାଂଶ ଓଡ଼ିଆ ଶ୍ରମିକ ଜୀବିକା ହରାଇ ଖାଇବାକୁ ନ ପାଇ ଅସ୍ତବ୍ୟସ୍ତ ହୋଇପଡିଲେଣି ଏବଂ ଅଧିକାଂଶ ଶ୍ରମିକ ନିଜ ଭିଟାମାଟିକୁ ଫେରିବା ପାଇଁ ମନ କଲେଣି।
ଅନେକେ ମଧ୍ୟ ସାଇକେଲରେ ତଥା ଚାଲି ଚାଲି ଓଡ଼ିଶା ଅଭିମୁଖେ ବହାରିଲେଣି। ବିଭିନ୍ନ ଗବେଷଣା ଭିତ୍ତିକ ତଥ୍ୟରୁ ଜଣାପଡିଛି ଯେ ଓଡ଼ିଶାରୁ ଅଧିକାଂଶ ଶ୍ରମିକ ଗୁଜରାଟ, ମହାରାଷ୍ଟ୍ର, କେରଳ ଓ ଆନ୍ଧ୍ର ପ୍ରଦେଶରେ କାର୍ଯ୍ୟରତ। କରୋନା ପ୍ରଭାବରେ ଏଥିରୁ ଅଧିକାଂଶ ଶ୍ରମିକ ବର୍ତ୍ତମାନ ଘରବାହୁଡ଼ା ଅପେକ୍ଷାରେ। ଅନେକ ଶ୍ରମିକ ନିଜ ଜୀବନକୁ ବେଖାତିର କରିି ସମୁଦ୍ର ଦେଇ ଡଙ୍ଗା ମାଧ୍ୟମରେ ଆସୁଛନ୍ତି। କେହି କେହି ପୁଣି ସାଇକେଲରେ ଆସି ରାସ୍ତାରେ ଦୁର୍ଘଟଣାରେ ମୃତ୍ୟୁବରଣ କରିବାର ଖବର ଆମେ ପାଉଛେ।
ଏସବୁ ଦୁଃଖଦ ପରିସ୍ଥିତି ସମ୍ଭାଳିବା ପରେ ତଥା କରୋନାରେ ଦୀର୍ଘଦିନ ରହିବାର ସମ୍ଭାବନାର ଖବର ଅନେକ ଶ୍ରମିକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି। ଏଥିରୁ ଅଧିକାଂଶ ଶ୍ରମିକ ହୁଏତ ନିକଟ ଭବିଷ୍ୟତରେ ଓଡିଶା ଛାଡି ବାହାରକୁ ଯାଇ ନ ପାରନ୍ତି। ତେଣୁ କରି ଆମ ରାଜ୍ୟରେ ଅନେକ ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଆଉ କୁଶଳୀ ଶ୍ରମିକ ଉପଲବ୍ଧ ହେବେ। ଏହି ଶ୍ରମିକମାନଙ୍କ ପାଇଁ ଯଦି ରାଜ୍ୟ ଭିତରେ ଉପଯୁକ୍ତ ନିଯୁକ୍ତି ସୃଷ୍ଟି କରି ହୁଏ ଆମ ରାଜ୍ୟର ବିକାଶ ଧାରାରେ ଏମାନେ ସାମିଲ ହୋଇ ରାଜ୍ୟର ଭାଗ୍ୟ ବଦଳାଇ ଦେଇପାରିବେ। ତା’ ସହ ଏକ ସମ୍ଭାବ୍ୟ ଦୀର୍ଘ ଆର୍ଥିକ ମାନ୍ଦାବସ୍ଥାରୁୁ ରାଜ୍ୟ ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନେକ ପୁଞ୍ଜି ନିବେଶ କରିବାକୁ ହେବ। ଏହି ପୁଞ୍ଜି ଉପଯୁକ୍ତ ଦିଗରେ ବିନିଯୋଗ କରି ପାରିଲେ ଆମ ରାଜ୍ୟ ଅର୍ଥନୀତି ସୁଦୃଢ ହୋଇପାରିବ। ପ୍ରଶ୍ନ ଉଠେ ଏତେ ସଂଖ୍ୟକ ଶ୍ରମିକମାନଙ୍କ ପାଇଁ ସରକାର କିପରି ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ ? ଅନେକ ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଏ ସମସ୍ତ ଶ୍ରମିକଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗାରେ ନିଯୁକ୍ତି ଦିଆଯାଉ ଓ ନିଯୁକ୍ତିର ସୀମା ୧୦୦ ଦିନକୁ ବୃଦ୍ଧି କରି ଅତିକମ୍‌ରେ ୨୦୦ ଦିନ କରାଯାଉ ଏବଂ ମଜୁରି ବୃଦ୍ଧି କରାଯାଉ। ଏହିି ଉପଦେଶ କିଛି ଜିଲାର ଅନୁନ୍ନତ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ହୋଇପାରେ। କିନ୍ତୁ ମନରେଗାର ବାସ୍ତବ ସ୍ଥିତି ହେଲା ଯେ ଅଧିକାଂଶ ଗ୍ରାମାଞ୍ଚଳରେ ଶ୍ରମିକମାନେ ମନରେଗା କାମ କରିିବାକୁ ଅନିଚ୍ଛୁକ। ଏହାର କାରଣ ଅନେକ। ମଜୁରି ମିଳିବାରେ ବିଳମ୍ବ ସହିତ ମାଟି ଖୋଳା ଭଳି କଠିନ ଶାରୀରିକ ପରିଶ୍ରମ କରିିବା ପାଇଁ ଅନେକ ଶ୍ରମିକ ଆଗ୍ରହୀ ନୁହନ୍ତି ଏବଂ ଏହା ମଧ୍ୟ ଯଥାର୍ଥ। ଏହା ସହିତ ଅନ୍ୟ ରାଜ୍ୟରୁ ଫେରୁଥିବା ଅଧିକାଂଶ ଶ୍ରମିକ ଅର୍ଦ୍ଧକୁଶଳୀ ବା କୁଶଳୀ ହୋଇଥିବାରୁ ସେମାନଙ୍କୁ ମାଟି ଖୋଳିବା କାମରେ ନିୟୋଜିତ କଲେ ସେମାନଙ୍କ ଦକ୍ଷତାର ବିନିଯୋଗ ହୋଇପାରିବ ନାହିଁ। ଅଧିକାଂଶ ଯୁବତୀ ଯୁବକ ଯେଉଁମାନେ କିଛି ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ସେମାନେ କେବେ ବି ଶାରୀରିକ ପରିଶ୍ରମ କରିବା ପାଇଁ ରାଜି ହେବେ ନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ଏକ ବିକଳ୍ପ ନିଯୁକ୍ତି ସୃଷ୍ଟି ପାଇଁ ଯୋଜନା କରିବାର ଆବଶ୍ୟକତା ଅଛି।
ନିଯୁକ୍ତି ସୃଷ୍ଟି ପାଇଁ ଚାଇନାର ସହରୀ ଓ ଗ୍ରାମୋଦ୍ୟୋଗ ବା ଟାଉନ୍‌ଶିପ ଓ ଭିଲେଜ ଏଣ୍ଟରପ୍ରାଇଜ ଢାଞ୍ଚାରେ ଓଡ଼ିଶାରେ ପ୍ରତି ପଞ୍ଚାୟତ ଓ ସହରାଞ୍ଚଳରେ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ହେବ। ଓଡିଶାର ସମସ୍ତ ୬୭୯୮ଟି ପଞ୍ଚାୟତ, ୬୭ ଟି ଏନ୍‌ଏସି ଓ ୩୪ଟି ମ୍ୟୁନିସିପାଲିଟିରେ ପଞ୍ଚାୟତ ବା ମ୍ୟୁନିସିପାଲିଟି ନାମରେ ଏକ ଗ୍ରାମୋଦ୍ୟୋଗ ବା ସହରୀ ଉଦ୍ୟୋଗ ପଞ୍ଜୀକୃତ କେରାଯିବ। ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ସମ୍ପଦ, ମାନବ ସମ୍ବଳ, ସାମାଜିକ ତଥା ଅର୍ଥନୀତିକ ପାରିପାର୍ଶ୍ୱିକ ସ୍ଥିତି ଓ ଚାହିଦା ଅନୁସାରେ ଏହି ଗ୍ରାମୋଦ୍ୟୋଗ ନିର୍ମିତ ହେବ। ୩୧୪ଟି ବ୍ଲକ୍‌ରେ ୩୧୪ଟି ଶିଳ୍ପ ପୁଞ୍ଜ ତିଆରି କରାଯିବ। କେଉଁ ବ୍ଲକ୍‌ରେ କେଉଁ ଶିଳ୍ପ ପୁଞ୍ଜ ଉପଯୁକ୍ତ ହେବ ଏହାର ଯୋଜନା ପ୍ରସ୍ତୁତି ସେହିି ଜିଲାର ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଆଇଟିଆଇ ସ୍କୁଲ, ପଲିଟେକ୍‌ନିକ ସ୍କୁଲ, ମ୍ୟାନେଜମେଣ୍ଟ ସ୍କୁଲ ସମୂହକୁ ନେଇ ଏକ ଖସଡ଼ା ପ୍ରସ୍ତୁତି ହେବ। ରାଜ୍ୟସ୍ତରରେ ମଧ୍ୟ ଏକ ବିଶେଷଜ୍ଞ କମିଟି ଏହାର ତଦାରଖ କରିବେ। ବିଶେଷଜ୍ଞ କମିଟି ଏକ ନମୁନା ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବେ। ଏହି ରିପୋର୍ଟ ଅନୁସାରେ ଗୋଟିଏ କଲେଜ ଗୋଟିଏ ପଞ୍ଚାୟତର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବେ। ସମସ୍ତ ପଞ୍ଚାୟତର ତଥା ୩୧୪ଟି ବ୍ଲକରେ ଶିଳ୍ପ ପୁଞ୍ଜର ଖସଡ଼ା ପ୍ରସ୍ତୁତି ସରିଲା ପରେ ପ୍ରତି ପଞ୍ଚାୟତ ପିଛା ୩୦ ଲକ୍ଷ ଟଙ୍କା ଲେଖାଏ ଅନୁମୋଦନ ହେବ। ଏହି ଗ୍ରାମୋଦ୍ୟୋଗରେ ଅଂଶୀଦାର ଭାବରେ ସେହି ପଞ୍ଚାୟତର ବାସିନ୍ଦାମାନେ କେବଳ ପୁଞ୍ଜିନିବେଶ କରିପାରିବେ। ଅଂଶୀଦାରମାନଙ୍କ ପୁଞ୍ଜି ୫୦%ରୁ ଅଧିକ ହୋଇପାରିବ ନାହିଁ ଏବଂ କୌଣସି ଜଣେ ବ୍ୟକ୍ତିଙ୍କ ପୁଞ୍ଜି ନିବେଶ ୧୦%ରୁ ଅଧିକ ହୋଇପାରିବ ନାହିଁ। ଅଂଶୀଦାରମାନଙ୍କ ପୁଞ୍ଜି ନିବେଶ ଫଳରେ ସେମାନେ ଉଦ୍ୟୋଗର ସଫଳତା ଉପରେ ଗୁରୁତ୍ୱ ଦେବେ ଏବଂ କୌଣସି ଜଣେ ବ୍ୟକ୍ତିର ଏକଚାଟିଆ ନିୟନ୍ତ୍ରଣ ଉଦ୍ୟୋଗ ଉପରେ ରହିପାରିବ ନାହିଁ।
ଅଂଶୀଦାରମାନେ ବ୍ଲକ ଉନ୍ନୟନ ଅଧିକାରୀଙ୍କଠାରୁ ଏହି ଅଂଶ କ୍ରୟ କରିପାରିବେ। ଉଦ୍ୟୋଗର ପରିଚାଳନା ଭାର ସମସ୍ତ ଅଂଶୀଦାର, ସରପଞ୍ଚ, ବ୍ଲକ ଉନ୍ନୟନ ଅଧିକାରୀଙ୍କ ଉପରେ ନ୍ୟସ୍ତ ରହିବ। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିଥିବା ମହାବିଦ୍ୟାଳୟର ଅଭିଜ୍ଞ ଅଧ୍ୟାପକମାନେ ଉଦ୍ୟୋଗମାନଙ୍କର ମାର୍ଗନିର୍ଦ୍ଦେଶନା କରିବେ। ପରିଚାଳନା କମିଟି ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନଙ୍କୁ ଆବଶ୍ୟକତା ଅନୁସାରେ ନିଯୁକ୍ତି ଦେବେ, ବେତନ ନିର୍ଦ୍ଧାରଣ କରିବେ। ଏହି ଉଦ୍ୟୋଗୀ ଏବଂ ଏଥିରେ ନିଯୁକ୍ତ ହେବାକୁ ଥିବା ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କୁ ଆବଶ୍ୟକୀୟ ତାଲିମ ରାଜ୍ୟ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନ ମାଧ୍ୟମରେ ପ୍ରଦାନ କରିବେ।
ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ପାଇଁ ଓଡ଼ିଶା ଗ୍ରାମୋଦ୍ୟୋଗ ନାମରେ ଏକ ସ୍ବତନ୍ତ୍ର ଅନ୍‌ଲାଇନ ପୋର୍ଟାଲ ପ୍ରସ୍ତୁତ କରାଯିବ ଏବଂ ସମସ୍ତ ଉତ୍ପାଦିତ ଦ୍ରବ୍ୟର ସୂଚନା ଏଥିରେ ମିଳିପାରିବ। ଏହା ଫଳରେ ପ୍ରତ୍ୟେକ ପଞ୍ଚାୟତରେ ଉତ୍ପାଦନ ହେଉଥିବା ଦ୍ରବ୍ୟର ସୂଚନା ସମସ୍ତଙ୍କ ପାଖରେ ସହଜରେ ପହଞ୍ଚିପାରିବ ଏବଂ ସହଜରେ ଦ୍ରବ୍ୟ ବିକ୍ରି ହୋଇପାରିବ। ପ୍ରତ୍ୟେକ ବ୍ଲକ୍‌ରେ ଗୋଟିଏ ପଞ୍ଚାୟତର ଉଦ୍ୟୋଗୀମାନେ କେବଳ ଦ୍ରବ୍ୟର ପରିବହନ ଏବଂ ମାର୍କେଟିଂ ଦାୟିତ୍ୱ ନିର୍ବାହ କରିବେ। ପରିବହନ ଖର୍ଚ୍ଚ ସଂଶ୍ଲିଷ୍ଟ ଗ୍ରାମୋଦ୍ୟୋଗ କିମ୍ବା ଦ୍ରବ୍ୟର କ୍ରେତାମାନେ ବହନ କରିବେ। ଅନଲାଇନ ମାର୍କେଟିଂ ଭଳି ଏହି ପରିବହନ ସଂସ୍ଥା ଗ୍ରାମାଞ୍ଚଳରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଘର ଦୁଆରେ ଦ୍ରବ୍ୟ ବିତରଣ କରିବେ। ସହରାଞ୍ଚଳରେ ଅବସ୍ଥାପିତ ଉଦ୍ୟୋଗମାନେ ଆନ୍ତଃ ରାଜ୍ୟ ବା ବିଦେଶରେ ଏହି ସବୁ ଦ୍ରବ୍ୟର ବିକ୍ରି କାର୍ଯ୍ୟ ବହନ କରିପାରିବେ। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଶିଳ୍ପାୟନ ହୋଇପାରିବ। ସବୁ ଦ୍ରବ୍ୟର ବିକ୍ରି କାର୍ଯ୍ୟ ବହନ କରିପାରିବେ। ଉଭୟ ରାଜ୍ୟ ଓ ଦେଶ ସ୍ବାବଲମ୍ବୀ ହୋଇପାରିବ। ସ୍ଥାନୀୟ ଅଞ୍ଚଳରେ ଅନେକ ନିଯୁକ୍ତି ସୃଷ୍ଟି ହେବା ସହ ଦାରିଦ୍ର୍ୟ ଦୂରୀକରଣ ସମ୍ଭବ ହୋଇପାରିବ। ରପ୍ତାନି ମାଧ୍ୟମରେ ବିଦେଶୀ ମୁଦ୍ରା ରୋଜଗାର କରିହେବ। ଯୁବତୀଯୁବକମାନଙ୍କୁ ନିଯୁକ୍ତି ଅନ୍ବେଷଣରେ ଅନ୍ୟ ରାଜ୍ୟ ବା ଅନ୍ୟ ଦେଶକୁ ଯିବାକୁ ପଡ଼ିବ ନାହିଁ। ଶିକ୍ଷାନୁଷ୍ଠାନଗୁଡିକ କେବଳ ପୋଥିଗତ ବିଦ୍ୟା ପ୍ରଦାନ ନ କରି ସମାଜ ପାଇଁ ମୂଲ୍ୟବୋଧ ହୋଇପାରିବେ। ଗ୍ରାମ୍ୟ ଶିଳ୍ପାୟନର ଏହି ମଡେଲ ଉପରେ ସରକାର ଏକ କମିଟି ଗଠନ କରି ଏହାର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିି ପାରିବେ ଓ ଏହାର ସଫଳ ରୂପାୟନ କରିପାରିବେ।
ପ୍ରାଧ୍ୟାପକ, ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର
ମୋ:୯୪୩୯୯୨୩୬୨୬


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri