ଗ୍ରାମ ଜମିକୁ ନେଇ ବିବାଦ: ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ବନ୍ଦ କଲେ ତହସିଲଦାର

ଜଳେଶ୍ୱର, ୪।୬(ସ୍ବ.ପ୍ର.)-ବହୁ ବର୍ଷ ପୂର୍ବରୁ ସୁବର୍ଣ୍ଣରେଖା ନଦୀ କେଶପୁରା ଗ୍ରାମ ଦେଇ ବହିଯାଇଥିଲା। ନଦୀ ଗତିପଥ ବଦଳାଇ ଥିବାରୁ ପୁରୁଣା ସ୍ଥାନରେ ପାଇକସିଦା ଓ କେଶପୁରା ଗ୍ରାମ୍ୟ କମିଟି ପକ୍ଷରୁ ଖନନ ହେଉଥିବା ୨ଟି ପୋଖରୀକୁ ନେଇ ବିବାଦ ଦେଖାଦେଇଛି। ନଦୀର ପରିତ୍ୟକ୍ତ ସ୍ଥାନରେ ପାଇକସିଦା ପଞ୍ଚାୟତ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଏସ୍‌ରେ ଏକ ବଡ଼ ପୋଖରୀ ଖୋଳା ଚାଲିଥିଲା। ଜବ୍‌କାର୍ଡ଼ରେ ଥିବା ବହୁ ବ୍ୟକ୍ତି ଗୁରୁବାର ସେଠାରେ ପୋଖରୀ ଖୋଳା କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଉକ୍ତ ସ୍ଥାନ ଚୋରମରା ଗାଁର କେତେଜଣ ବ୍ୟକ୍ତିଙ୍କର ବୋଲି ସେମାନେ ଜଳେଶ୍ୱର ତହସିଲରେ ଅଭିଯୋଗ କରିଥିବାରୁ ଘଟଣାସ୍ଥଳରେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ପହଞ୍ଚିଥିଲେ। ଉପସ୍ଥିତ ଜିଆର୍‌ଏସ୍‌, ଗ୍ରାମ୍ୟସାଥି ଓ ପଞ୍ଚାୟତ ଅଧିକାରୀମାନଙ୍କୁ ବିବାଦୀୟ ସ୍ଥାନରେ ପୋଖରୀ ନ ଖୋଳିବାକୁ ପରାମର୍ଶ ଦେଇ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ବିଡିଓ ଓ ଆର୍‌ଆଇଙ୍କ ଉପସ୍ଥିତିରେ ମାପ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ସେହିପରି କେଶପୁରଠାରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ପକ୍ଷରୁ ଏକ ସଂଘ ଗଠନ କରି ମତ୍ସ୍ୟବିଭାଗରୁ ପାଇଥିବା ୭୦ହଜାର ଟଙ୍କାରେ ପୋଖରୀ ଖନନ ହେଉଥିବା ବେଳେ ଜେସିବିକୁ ତହସିଲଦାର ଜବତ କରିଥିଲେ। ଆସନ୍ତା ଦିନରେ ଜମି ମପାଯିବା ପରେ ଖନନ କାର୍ଯ୍ୟ ହେବ ବୋଲି କହିଥିଲେ।