ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ: ସବୁ ସୁନାରେ ଏବେ ବିଆଇଏସ୍‌ କିମ୍ବା ହଲ୍‌ମାର୍କ ରହିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ସୁନା କିଣିବା ବେଳେ ଏହା ବିଆଇଏସ୍‌ କିମ୍ବା ହଲମାର୍କ କି ନୁହେଁ ତାହା ଉପରେ ଗ୍ରାହକଙ୍କର ନଜର ନ ଥାଏ। ପସନ୍ଦ ହୋଇଥିବା ସୁନା କେତେ ଶୁଦ୍ଧ ତାହା ମଧ୍ୟ ଗ୍ରାହକ ଜାଣିିବା କଷ୍ଟକର। ଏହାର ଫାଇଦା ଉଠାଇ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅସାଧୁ ସୁନା ଦୋକାନୀମାନେ ଠକୁଥିବା ଅଭିଯୋଗ ହେଉଛି। ଏଥିପାଇଁ ଯୋଗାଣ ବିଭାଗ ପକ୍ଷରୁ ବିିଭିନ୍ନ ସୁନା ଦୋକାନ ଉପରେ ଗତ କିଛିଦିନ ହେବ ଜୋରଦାର ଚଢ଼ାଉ ଜାରି ରହିଛି। କେବଳ ଯେ ଛୋଟ ଦୋକାନୀ ଠକୁଛନ୍ତି ତାହା ନୁହେଁ, ବଡ ବଡ ନାମକରା ଦୋକାନୀ ମଧ୍ୟ ଗ୍ରାହକଙ୍କୁ ନିମ୍ନମାନର ସୁନା ବିକ୍ରି କରି ଶୋଷଣ କରୁଛନ୍ତି। ସୁନା ଦୋକାନୀ ୧୪ କ୍ୟାରେଟ ଦେଇ ୨୨ କ୍ୟାରେଟର ପଇସା ନେଉଛନ୍ତି। ଗୋଟିଏ କି ଦୁଇଟି ଦୋକାନୀ ନୁହେଁ ରାଜ୍ୟବ୍ୟାପୀ ଏଭଳି ଠକେଇ ଚାଲିଛି। ଓଜନରେ ଠକୁଛନ୍ତି। ଅପମିଶ୍ରଣ କରୁଛନ୍ତି। ଲୋକେ ଯେମିତି ଠକେଇରେ ନ ପଡିବେ ସେ ନେଇ ତତ୍ପରତା ପ୍ରକାଶ ପାଇଛି। ସେଥିପାଇଁ ରାଜ୍ୟବ୍ୟାପୀ ଚଢାଉ ଆରମ୍ଭ ହୋଇଛି। ୧୦ ଦିନରେ ୪୦ଟି ଦୋକାନ ଉପରେ ଚଢାଉ କରାଯାଇଛି। ଆଗକୁ ଏପରି ଚଢାଉ ଜା’ରି ରହିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ସୁନାର ଅପମିଶ୍ରଣ ଏବଂ ଠକେଇକୁ ରୋକିବା ଲାଗି ସମସ୍ତ ସୁନା ଦୋକାନୀ ବିଆଇଏସ ଏବଂ ହଲମାର୍କ ଲେଖିବାକୁ ବାଧ୍ୟ ହେବେ। ଏ ନେଇ କେନ୍ଦ୍ର ସରକାର ଆସନ୍ତା ଜାନୁୟାରୀ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିବେ। ଏଠାରେ ସୂଚନାଯୋଗ୍ୟ ଯେ ଗତ ଶୀତ ଅଧିବେଶନରେ ସୁନା ଓଜନ ଠକେଇକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ମନ୍ତ୍ରୀ ରାଜ୍ୟର କେଉଁ ଦୋକାନ ଉପରେ ଚଢାଉ କରାଯାଇଛି ସେ ନେଇ ତଥ୍ୟ ଦେଇଥିଲେ। ହେଲେ ଭୁବନେଶ୍ୱର କିମ୍ବା ବ୍ରହ୍ମପୁର ସହରର କୌଣସି ସୁନା ଦୋକାନୀଙ୍କ ନାମ ନ ଥିଲା। ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଭାଗୀୟ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମାପ ଏବଂ ଓଜନ ଯାଞ୍ଚ କରିବା ଦାୟିତ୍ୱରେ ଥିବା ଅଧିକାରୀମାନେ ଗତ କିଛି ଦିନ ହେବ ଭୁବନେଶ୍ୱର ଓ ବ୍ରହ୍ମପୁର ସହରରେ ମଧ୍ୟ ବ୍ୟାପକ ଚଢାଉ କରିଛନ୍ତି।

Share