ଗ୍ରାହକଙ୍କ ଭିଡ଼ ଦେଖି ଦର ବୃଦ୍ଧି କରୁଛନ୍ତି ଦୋକାନୀ

ଆରଡ଼ି,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ କରୋନା କଟକଣା ଦେଖିବାକୁ ମିଳୁନାହିଁା ସାରା ଜିଲା ଲକ୍‌ଡାଉନ ଘୋଷଣା ପରେ ବି ପଡୋଶୀ ଯାଜପୁର, କେନ୍ଦ୍ରାପଡା ଜିଲାର କିଛି ବ୍ୟକ୍ତି ବିଭିନ୍ନ ଆଳ ଦେଖାଇ ବାଇକ୍‌ରେ ବୁଲୁଛନ୍ତି। ବୁଧବାର ସକାଳ ୬ଟାରୁ ବେତାଳିଗାଁ, ମଠଡିହ, ଦୋହରାପାଟଣା, ବାଙ୍କସାହି, ଆରଡ଼ି ଆଦି ଛକ ଜାଗାରେ ଗ୍ରୋସରି ଓ ପରିବା ଦୋକାନ ଖୋଲା ରହିଥିଲା । ଲୋକଙ୍କ ଅସମ୍ଭାଳ ଭିଡ଼ ନଜରକୁ ଆସିଥିଲା। ଭିଡ଼ ଦେଖି କିଛି ଦୋକାନୀ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ାଇ ଦେଇଥିଲେ । ଏପରି କି ଆଳୁବସ୍ତା ଛଡ଼ା ଖୁଚୁରାରେ ବିକ୍ରୟ ହେଇ ନାହିଁ ବୋଲି କିଛି ଦୋକାନୀ ଗ୍ରାହକଙ୍କୁ କହିଥିଲେ । ବିଭିନ୍ନ ସ୍ଥାନର ବଜାର କମିଟି ସଭ୍ୟଙ୍କ ହସ୍ତକ୍ଷେପ ଯୋଗୁ ଆଳୁ ଖୁଚୁରାରେ ବିକ୍ରୟ ହୋଇଥିଲା। କିଛି ସ୍ଥାନରେ ଚୋରାରେ ମଦ ବିକ୍ରି ହେଉଥିବା କୁହାଯାଉଥିଲା, ଯାହାକି ମଦ୍ୟପମାନଙ୍କୁ ସୁହାଉଛି ଓ ସେମାନେ ଛକରେ ଭିଡ଼ ଜମାଉଛନ୍ତି।  ଏପରି ସ୍ଥିତିରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।