Advertisement

ଗ୍ରୀନ୍‌ଜୋନ୍‌ରେ ରାତିରେ ଖୋଲିବ ଫିଲ୍ମହଲ୍‌-ଶପିଂମଲ୍‌ !

ନୂଆଦିଲ୍ଲୀ,୭।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହାଯୋଗୁ ଫିଲ୍ମହଲ୍‌, ଶପିଂମଲ୍‌, ରିଟେଲ୍‌ ଶପ୍‌ ଆଦି ବହୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଫଳରେ ଏସବୁ ବ୍ୟବସାୟିକ ପ୍ରତିଷ୍ଠାନର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗ୍ରୀନ୍‌ଜୋନ୍‌ରେ କେତେକ କୋହଳ ନୀତି ଗ୍ରହଣ କରାଯିବାକୁ ଚିନ୍ତା କରାଯାଉଛି। ଏସବୁ ଅଞ୍ଚଳରେ ରାତିରେ ଫିଲ୍ମହଲ୍‌, ଶପିଂମଲ୍‌ ଏବଂ ରିଟେଲ୍‌ ଶପ୍‌ ଖୋଲିବା ଲାଗି ଯୋଜନା କରାଯାଉଛି। ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ୍‌ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇ କେତେକ ସର୍ତ୍ତ ଭିତ୍ତିରେ ଏପରି କରାଯିବ ବୋଲି କୁହାଯାଉଛି। ଏହାଦ୍ୱାରା ରାତିରେ ଲୋକଙ୍କ ଗହଳି କମ୍‌ ରହିବା ସହିତ ସ୍ଥିତିରେ ନିୟନ୍ତ୍ରଣ ଆଣିବା ସହଜ ହେବ। ତେବେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ନେବ। ଏହାପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ମଧ୍ୟ ଜାରି ହେବ। ସୂଚନାଯୋଗ୍ୟ, ଇତିମଧ୍ୟରେ ମଧ୍ୟପ୍ରଦେଶରେ ବୁଧବାରଠାରୁ ରିଟେଲ୍‌ ଶପ୍‌ କୁ ସକାଳ ୬ଟା ଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଖୋଲିବାକୁ ଆନୁମତି ପ୍ରଦାନ କରାଯାଇଛି। ୨୦୧୬ ଶ୍ରମ ମନ୍ତ୍ରଣାଳୟ ଅଧିନିୟମ ଅନୁସାରେ ରିଟେଲ୍‌ ଶପ୍‌ ୨୪ ଘଣ୍ଟା ଖୋଲା ରହିପାରିବ। କିନ୍ତୁ ସାମ୍ପ୍ରତିକ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share