ଗ୍ରୀନ୍‌ ମହାନଦୀ ମିଶନରେ ଗତବର୍ଷ ୬୯କୋଟିରୁ ଅଧିକ ଖର୍ଚ୍ଚ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ୨୦୧୮-୧୯ ବର୍ଷରେ ଗ୍ରୀନ୍‌ ମହାନଦୀ ମିଶନ ଯୋଜନାରେ ରାଜ୍ୟ ସରକାର ମହାନଦୀ, ଇବ୍‌, ତେଲ ଏବଂ ଏହାର ଶାଖା/ପ୍ରଶାଖାର ଉଭୟ ପାର୍ଶ୍ୱରେ ୧୪୫୨.୨୫ ହେକ୍ଟର ପରିମିତ ଅଞ୍ଚଳରେ ସଘନ ବନୀକରଣ, ୫୦ ହେକ୍ଟର ଝାଉଁ ଜଙ୍ଗଲ, ୪୦ ହେକ୍ଟର ଲଣ୍ଡା ପାହାଡରେ ବନୀକରଣ, ୬୦୭୭ ହେକ୍ଟର ଅଞ୍ଚଳରେ ଉଜୁଡା ଜଙ୍ଗଲ ପୁନରୁଦ୍ଧାର, ୨୧୦ ହେକ୍ଟରରେ ବାଉଁଶ ବନୀକରଣ, ୫ଲକ୍ଷ ୭୪ହଜାର ୨୦୦ ବୃକ୍ଷଚାରା ସହରାଞ୍ଚଳରେ ବନୀକରଣ କରାଯାଇଛି। ଏହା ବ୍ୟତୀତ ୨୯ଲକ୍ଷ ୪୧ ହଜାର ବୃକ୍ଷଚାରା ହିତାଧିକାରୀମାନଙ୍କୁ ନିଜସ୍ବ ବାଡି ବଗିଚାରେ ରୋପଣ ଲାଗି ବିନା ମୂଲ୍ୟରେ ବିତରଣ କରାଯାଇଥିବା ଜଣାପଡିଛି। ଏ ବାବଦରେ ରାଜ୍ୟ ଯୋଜନାରେ ୫୯ କୋଟି ୪୮ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ ହୋଇଛି। ଏହାସହ ଏମ୍‌ଜିଏନଆରଇଜିଏସରେ ୧୦ କୋଟି ୧୭ ଲକ୍ଷ ୨୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ବିଧାୟକ ଦେବେଶ ଆଚାର୍ଯ୍ୟ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା କହିବା ସହିତ ଆହୁରି କହିଛନ୍ତି, ୨୦୧୯-୨୦ ବର୍ଷରେ ଗ୍ରୀନ୍‌ ମହାନଦୀ ଯୋଜନାରେ ରାଜ୍ୟ ସରକାର ଇବ୍‌, ତେଲ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା ଏବଂ ଏହାର ଶାଖା ଓ ପ୍ରଶାଖାର ଉଭୟ ପାର୍ଶ୍ୱରେ ୧ ହଜାର ୩୫ ହେକ୍ଟର ପରିମିତ ଅଞ୍ଚଳରେ ସଘନ ବନୀକରଣ, ୭୫ ହେକ୍ଟର ଝାଉଁ ଜଙ୍ଗଲ, ୨୦୩ ହେକ୍ଟର ଲଣ୍ଡା ପାହାଡରେ ବନୀକରଣ, ୭୭୬୩ ହେକ୍ଟର ଉଜୁଡା ଜଙ୍ଗଲର ପୁନଃରୁଦ୍ଧାର, ୧୭୧ ହେକ୍ଟର ବାଉଁଶ ବନୀକରଣ, ୭ଲକ୍ଷ ୧୨ହଜାର ଚାରା ସହରାଞ୍ଚଳ ବନୀକରଣ ଲାଗି ପ୍ରସ୍ତାବ ରଖାଯାଇଛି। ଏହାସହ ୫୦ଲକ୍ଷ ଚାରା ହିତାଧିକାରୀମାନଙ୍କୁ ନିଜସ୍ବ ବାଡିବଗିଚାରେ ରୋପଣ ନିମନ୍ତେ ବିନାମୂଲ୍ୟରେ ବିତରଣ କରାଯିବାକୁ ପ୍ରସ୍ତାବ ରଖାଯାଇଛି। ଏ ବାବଦରେ ୫୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସରକାରଙ୍କ ଅନୁମୋଦନକ୍ରମେ ଗ୍ରୀନ୍‌ ମହାନଦୀ ମିଶନ ଯୋଜନା ୨୦୧୮-୧୯ ଆର୍ଥିକ ବର୍ଷଠାରୁ ୨୦୨୨-୨୩ ପର୍ଯ୍ୟନ୍ତ ଚାଲିବ। ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି।

Share