ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ

ବିନିକା,୧୩ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂସାମୁରା ଗାଁରେ ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ ଦେଖାଦେଲାଣି। ୨ଟି ଓ୍ବାର୍ଡରେ ବିଶିଷ୍ଟ ଏହି ଗ୍ରାମରେ ୭ଶହରୁ ଉର୍ଦ୍ଧ୍ୱ ଲୋକେ ବାସ କରୁଥିବା ବେଳେ ରହିଛି ୪ଟି ନଳକୂପ। ସ୍କୁଲ ଛକରେ ଥିବା ନଳକୂପ ସଚଳ ଥିବାବେଳେ ଅନ୍ୟ ୩ଟି ଦୀର୍ଘମାସ ହେଲା ଅଚଳ ହୋଇପଡିଛି ା ଏହି ପରିସ୍ଥିତିରେ ଗଁାଲୋକେ ପାନୀୟ ଜଳପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୩ମାସ ତଳେ ଦେଢଲକ୍ଷ ଟଙ୍କା ବ୍ୟୟରେ ଗାଁରେ ଏକ ସୌରଶକ୍ତି ଚାଳିତ ଜଳଯୋଗାଣ ପ୍ରକଳ୍ପ ନିର୍ମିତ ହୋଇଥିଲ। ହେଲେ ସେଥିରୁ ପାଣି ବାହାରୁ ନାହିଁ। ଅନ୍ୟନୋପାୟ ହୋଇ ଗ୍ରାମର ମହିଳାମାନେ ଗାଁ ସ୍କୁଲ ଛକ ନଳକୂପ ଓ ୨କିମି ଦୂର ସୋନପୁର-ବିନିକା ମୁଖ୍ୟରାସ୍ତାରେ ଥିବା ନଳକୂପର ଜଳ ସଂଗ୍ରହ କରୁଛନ୍ତି। ସେଠାରେ ପାଣି ପାଇଁ ଲମ୍ବାଧାଡି ଲାଗୁଛି। ବହୁ ସମୟରେ ଜଳ ସଂଗ୍ରହ କରିବା ବେଳେ ଗଣ୍ଡଗୋଳ ବି ହେଉଛି। ପାନୀୟ ଜଳ ସମସ୍ୟା ଓ ଅଚଳ ନଳକୂପ ମରାମତି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧିକାରୀଙ୍କୁ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ସଦ୍ଧା ସମସ୍ୟାର ସମାଧାନ ହୋଇ ପାରିନାହିଁ ା ଏ ନେଇ ବିଭାଗୀୟ ଯନ୍ତ୍ରୀ ରଞ୍ଜନ ପୁଟେଲଙ୍କୁ ପଚାରିବାରୁ ସଂସାମୁରାରେ ଜଳକଷ୍ଟ ନେଇ ଆମେ କୌଣସି ଅଭିଯୋଗ ଏ ଯାଏ ପାଇନାହୁଁ। ତେବେ ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ା ଅବିଳମ୍ବେ ଏହିସବୁ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନାତ୍ମପନ୍ଥା ଗ୍ରହଣ କରାଯିବ ବୋଲି ସଂସାମୁରା ଗ୍ରାମର ସୀତା ମହାପାତ୍ର, ସାବିତ୍ରୀରାଣୀ ପାଣ୍ଡେ, ହେମବତୀ ରଣା, ଭୂମିସୂତା ରଣା, ଗୋଲାପୀ ରଣା, ବୈଦେହୀ ସାଥୁଆ, ଜୟ ରାମ ଖମାରୀ, ଧନୁ ରଣା ପ୍ରମୁଖ ଚେତାବନୀ ଦେଇଛନ୍ତି।

Share