ଗ୍ରେଟାଙ୍କ ୬୦ ଫୁଟର ପ୍ରାଚୀର ଚିତ୍ର

ସାନ୍‌ ଫ୍ରାନ୍‌ସିସ୍କୋ: ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ସ୍ବର ଶାଣିତ କରିବା ସହ ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଟିନ୍‌ ଏଜ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ଏକ ୬୦ ଫୁଟ ଲମ୍ବ ଓ ୩୦ ଫୁଟ ଚଉଡ଼ାର ବିଶାଳ ପ୍ରାଚୀର ଚିତ୍ର ସାନ୍‌ ଫ୍ରାନ୍ସିସ୍‌କୋରେ ଦେଖିବାକୁ ମିଳିଛି। ଆର୍ଜେଣ୍ଟାଇନ୍‌ ଷ୍ଟ୍ରିଟ୍‌ ଆର୍ଟିଷ୍ଟ ଆନ୍ଦ୍ରେସ୍‌ ପେଟ୍ରେସେଲି(୩୨) ଏହି ପ୍ରଚୀର ଚିତ୍ରକୁ ପ୍ରସ୍ତୁତ କରିଛନ୍ତି। ସ୍ଥାନୀୟ ଲୋକେ ପରିବେଶ ସଚେତନ ହେବା ଲାଗି ମଙ୍ଗଳବାର ଏହାକୁ ଏକ ବିଲ୍ଡିଂରେ ଲଗାଯାଇଛି। ଏନେଇ ଅନ୍ଦ୍ରେସ୍‌ ପେଟ୍ରେସେଲ କହିଛନ୍ତି, ରାଜନୀତି, ଧର୍ମ କିମ୍ବା କ୍ରୀଡ଼ା ସମ୍ପର୍କରେ ମୁଁ ଏଭଳି ପ୍ରାଚୀର ଚିତ୍ର କରିବାକୁ ପସନ୍ଦ କରେନି। କିନ୍ତୁ ମୋର ଏହି ପ୍ରାଚୀର ଚିତ୍ର ରାଜନୀତି ସହ ଯୋଡ଼ି ହେବାର ଆଶଙ୍କା ରହିଛି। ପରିବେଶ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଲାଗି ଗ୍ରେଟାଙ୍କ ପ୍ରଚୀର ଚିତ୍ର ଏଠାରେ ଲଗାଯାଇଥିବା ସେ ମତ ଦେଇଛନ୍ତି। ଏହି ବାଟ ଦେଇ ଯିବା ଆସିବା କରୁଥିବା ଲୋକ ଗ୍ରେଟାଙ୍କ ବିଶାଳ ପ୍ରାଚୀର ଚିତ୍ର ଦେଖି ସଚେତନ ହୋଇପାରିବେ ବୋଲି ସେ ମତ ଦେଇଛନ୍ତି। ଗ୍ରେଟାଙ୍କ ବାର୍ତ୍ତା ପ୍ରଚାର କରିବା ଓ ଲୋକଙ୍କୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

Share