Categories: ଖେଳ

ଗ୍ରେଡ୍‌ ‘ବି’କୁ ଖସିଲେ ମିତାଲି

ନୂଆଦିଲ୍ଲୀ, ୧୭।୧(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ଗ୍ରେଡ୍‌ ‘ଏ’ରୁ ଖସି ଗ୍ରେଡ୍‌ ‘ବି’ରେ ସ୍ଥାନ ପାଇଛନ୍ତି ଭେଟେରାନ ମହିଳା କ୍ରିକେଟର ମିତାଲି ରାଜ। ତେବେ ରାଧା ଯାଦବ ଓ ତାନିୟା ଭାଟିଆ ଗ୍ରେଡ୍‌ ‘ବି’କୁ ଉନ୍ନୀତ ହୋଇଛନ୍ତି। ଗତ ସେପ୍ଟେମ୍ବରରେ ଟି୨୦ରୁ ଅବସର ନେଇଥିବା ୩୭ ବର୍ଷୀୟା ମିତାଲି ଦିନିକିଆ କ୍ରିକେଟ ଦଳର ଅଧିନାୟିକା ଅଛନ୍ତି। ୨୦୨୧ ବିଶ୍ୱକପ ପର୍ଯ୍ୟନ୍ତ ସେ ନିଜ ପଦ ବଜାୟ ରଖିବା ଆଶା କରାଯାଉଛି। ଟି୨୦ ଅଧିନାୟିକା ହରମନପ୍ରୀତ କୌର ଗ୍ରେଡ୍‌ ‘ଏ’ରେ ସ୍ଥାନ ବଜାୟ ରଖିଛନ୍ତି। ରାଧା ଓ ତାନିଆ ଗତବର୍ଷ ଗ୍ରେଡ୍‌ ‘ସି’ରେ ଥିଲେ। ୧୫ ବର୍ଷୀୟା ଶେଫାଳି ବର୍ମା ଓ ହାର୍ଲିନ ଦେଓଲ ପ୍ରଥମଥର ପାଇଁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ହୋଇଛନ୍ତି। ଗତବର୍ଷ ଭାରତୀୟ ସିନିୟର ଦଳରେ ଖେଳିବା ଆରମ୍ଭ କରିଥିବା ଶେଫାଳି ପ୍ରଭାବୀ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିକଟରେ ବ୍ରିସବେନଠାରେ ସେ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ୧୨୪ ରନ ସ୍କୋର କରିଥିଲେ। ଏହି ଓପନର ଆସନ୍ତା ଟି୨୦ ବିଶ୍ୱକପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା। ମୋନା ମେଶ୍ରମ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ପଡ଼ିଛନ୍ତି।
ଗ୍ରେଡ୍‌ ‘ଏ’(୫୦ ଲକ୍ଷ): ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ପୁନମ ଯାଦବ।
ଗ୍ରେଡ୍‌ ‘ବି’(୩୦ ଲକ୍ଷ): ମିତାଲି ରାଜ, ଝୁଲଣ ଗୋସ୍ବାମୀ, ଏକତା ବିସ୍ତ, ରାଧା ଯାଦବ, ତାନିୟା ଭାଟିଆ, ଶିଖା ପାଣ୍ଡେ, ଜେମିମା ରୋଡ୍ରିଗ୍ବେଜ, ଦୀପ୍ତି ଶର୍ମା।
ଗ୍ରେଡ୍‌ ‘ସି’(୧୦ ଲକ୍ଷ): ବେଦ କ୍ରିଷ୍ଣମୂର୍ତ୍ତି, ପୁନମ ରାଉତ, ଅନୂଜା ପାଟିଲ, ମାନସୀ ଜୋଶୀ, ଡି. ହେମଲତା, ଅରୁନ୍ଧତୀ ରେଡ୍ଡୀ, ରାଜେଶ୍ୱରୀ ଗାଏକ୍ୱାଡ, ପୂଜା ବସ୍ତ୍ରକାର, ହାର୍ଲିନ ଦେଓଲ, ପ୍ରିୟା ପୁନିଆ, ଶେଫାଳି ବର୍ମା।

Share