ଗ୍ଲୋବାଲ ଲିଗ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଗୋନୀଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ,୨୫।୬- ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ର ଟରୋଣ୍ଟୋ ନ୍ୟାଶନାଲ୍ସ ଦଳର ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିବା ପୂର୍ବତନ ପେସର ମନପ୍ରୀତ ଗୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଯୁବରାଜ ସିଂଙ୍କ ପରେ ଦ୍ୱିତୀୟ ପଞ୍ଜାବୀ କ୍ରିକେଟର ଭାବେ ସେ ଅବସର ଘୋଷଣା କରିଛନ୍ତି। ଟରୋଣ୍ଟୋ ନ୍ୟାଶନାଲ୍ସ ଖେଳାଳିଙ୍କ ତାଲିକାରେ ଯୁବରାଜଙ୍କ ନାମ ମଧ୍ୟ ରହିଛି। ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁଲାଇ ୨୫ ତରିଖରୁ ଆରମ୍ଭ ହେବ। ୩୬ ବର୍ଷୀୟ ଗୋନୀ ଭାରତ ପକ୍ଷରୁ ଦୁଇଟି ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ୬୧ ପ୍ରଥମ ଶ୍ରେଣୀ ଓ ୯୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ବିସିସିଆଇର ନିୟମ ଅନୁଯାୟୀ କୌଣସି ବିଦେଶୀ ଲିଗ୍‌ରେ ଖେଳିବାକୁ ହେଲେ ଖେଳାଳିଙ୍କୁ ଅନ୍ତର୍ଜାତୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବା ଦରକାର। ନ ହେଲେ ଖେଳାଳିଙ୍କୁ ଏନ୍‌ଓସି ମିଳିବ ନାହିଁ।

Share