ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ଗିରଫ

କଟକ ଅଫିସ/ ଭୁବନେଶ୍ୱର (ବ୍ୟୁରୋ), ୧୪ା୧୧: ଗ୍ୟାଙ୍ଗ୍‌ଷ୍ଟର ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜାଙ୍କୁ ବୁଧବାର ମଧ୍ୟାହ୍ନରେ କଟକ ମାଲଗୋଦାମ ଥାନା ପୋଲିସ ଭୁବନେଶ୍ୱରର ବରଗଡ଼ ଅଞ୍ଚଳରୁ ଗିରଫ କରିଛି। ୨୦୦୪ ମସିହାରେ ଏକ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ରାଜାଙ୍କ ନାମରେ ମାଲଗୋଦାମ ଥାନାରେ ମାମଲା ରୁଜୁ ହୋଇଥିଲା। ଏ ନେଇ କଟକ ସିଜେଏମ୍‌ଙ୍କ କୋର୍ଟରେ ଏସ୍‌ଟି କେସ୍‌ (ନଂ. ୨୦୩/୦୪) ବିଚାରାଧୀନ ଥିଲା। କୋର୍ଟଙ୍କ ଧାର୍ଯ୍ୟ ତାରିଖରେ ରାଜା ହାଜର ନ ହେବାରୁ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। କୋର୍ଟ ଓ୍ବାରେଣ୍ଟ ବଳରେ ପୋଲିସ ଭୁବନେଶ୍ୱର ବିଜେବି ନଗରସ୍ଥ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରିଛି। କଟକରେ ଅନ୍ୟ ମାମଲାରେ ସମ୍ପୃକ୍ତି ନେଇ ତାଙ୍କୁ ହାଜତରେ ରଖି ପଚରାଉଚରା କରାଯାଉଛି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି, ୨୦୦୮ରେ ବହୁ ଚର୍ଚ୍ଚିତ ଜୁଡ଼ୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ପୋଲିସ ରାଜାଙ୍କୁ ୨୦୦୮ ମେ ୨୮ରେ ଗୋଆରୁ ଗିରଫ କରିଥିଲା। ୨୦୧୦ରେ ଭୁବନେଶ୍ୱର ଜିଲା ଓ ସେସନ୍ସ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ରାଜାଙ୍କ ନାମରେ ବିଭିନ୍ନ ଥାନାରେ ୪୦ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଛି। ବିରଞ୍ଚିି ଦାସ ହତ୍ୟା ମାମଲାରେ ୨୦୧୭ ମାର୍ଚ୍ଚରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ସେହିପରି ଭୁବନେଶ୍ୱରସ୍ଥ ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ମାମଲାରେ ହାଇକୋର୍ଟ ରାଜାଙ୍କୁ ଜାମିନ ଦେବା ପରେ ୨୦୧୮ ଏପ୍ରିଲ ୨୫ରେ ସେ ଝାରପଡ଼ା ଜେଲରୁ ମୁକୁଳିଥିଲେ। ଅନ୍ୟପକ୍ଷରେ ଓଲିଉଡ଼ ଅଭିନେତ୍ରୀ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀ ଅପହରଣ ମାମଲାରେ ୨୦୧୧ ଅକ୍ଟୋବରରେ ରାଜାଙ୍କୁ ଅଦାଲତ ୪ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।

Share