ଗ୍ୟାଙ୍ଗ ଯୁଦ୍ଧ

ଭାରତୀୟ ପରମ୍ପରା ସହିଷ୍ଣୁତାର ଶିକ୍ଷା ଦେଇଥାଏ। ଆମ ଦର୍ଶନ ଓ ସମ୍ବିଧାନରେ ସହିଷ୍ଣୁତାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ଗତ କିଛି ବର୍ଷ ହେବ ଭାରତରେ ଅସହିଷ୍ଣୁତା ଏକ ବିକଟାଳ ରୂପ ଧାରଣ କରିଚାଲିଛି। ଧର୍ମ, ରାଜନୀତି, ସାହିତ୍ୟ, ସଙ୍ଗୀତ, କଳା ଏବଂ ସିନେମାଠାରୁ ଆରମ୍ଭ କରି ଚାଲିଚଳନ ଯାଏ ମଣିଷର ପ୍ରତିଟି କ୍ଷେତ୍ରରେ ଅସହିଷ୍ଣୁତା ବସାବାନ୍ଧି ଗଲାଣି। ସଡ଼କରେ ଗଲା ବେଳେ ଯଦି ଜଣେ ନିୟମ ଭାଙ୍ଗି ଆଗକୁ ଚାଲିଯାଇ ଅନ୍ୟ ଜଣଙ୍କୁ ଧକ୍କା ଦେଉଛି, ସେତେବେଳେ ତାହାକୁ ପ୍ରତିବାଦ କଲେ ବଳବାନ୍‌ ବ୍ୟକ୍ତି ନିଜ ମାଂସପେଶୀର ବ୍ୟବହାର କରୁଛି। କେହି ଯେପରି କାହା ପରିସ୍ଥିତି ବା କାହାରି କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ୨ ନଭେମ୍ବର ୨୦୧୯ରେ ନୂଆଦିଲ୍ଲୀର ତିସ୍‌ ହଜାରି କୋର୍ଟ ପରିସରରେ ଅସହିଷ୍ଣୁତାର ଏକ ବିକୃତ ଚିତ୍ର ଦେଖିବାକୁ ମିଳିଛି। କୋର୍ଟ କମ୍ପ୍ଲେକ୍ସରେ ଜଣେ ଆଇନଜୀବୀ ତାଙ୍କ କାର୍‌କୁ ପାର୍କିଂ କରିବା ବେଳେ ପୋଲିସର ଏକ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ସେତିକିରେ ସବୁକିଛି ବିଗିଡ଼ିଗଲା। ଏହାର ପରିଣତି ଆଇନଜୀବୀ ଓ ପୋଲିସ ସଂଘର୍ଷରେ ରୂପାନ୍ତରିତ ହୋଇଗଲା। ପୋଲିସ ଭ୍ୟାନ୍‌ ପୋଡ଼ାଯିବା ସହିତ ୧୭ଟି ଗାଡ଼ି ଭଙ୍ଗାରୁଜା ହୋଇଛି। ପୋଲିସ ଗୁଳିରେ ଜଣେ ଆଇନଜୀବୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୧୦ ଜଣ ପୋଲିସ ଓ ଅନେକ ଓକିଲ ଆହତ ମଧ୍ୟ ହୋଇଛନ୍ତି।
ଭାରତର ସହରାଞ୍ଚଳରେ ପର୍ଯ୍ୟାପ୍ତ ଲୋକଙ୍କ ହାଉଜାଉ ସହ ଗାଡ଼ିମୋଟର ସଂଖ୍ୟା ଯେଭଳି ଭାବେ ବଢ଼ି ଚାଲିଛି, ପାର୍କିଂ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହେବା ସ୍ବାଭାବିକ। ଗାଡ଼ି ରଖିବାକୁ ଜାଗାର ଘୋର ଅଭାବ। ଦେଖାଯାଉଛି ଅନେକ ଘର ମାଲିକ ଯାନ ରଖିବା ଲାଗି ବ୍ୟବସ୍ଥା ନ କରି ତାହାକୁ ରାସ୍ତା ଉପରେ ରଖୁଛନ୍ତି। ଆବାସିକ ଅଞ୍ଚଳରେ ଏଭଳି ଦୁରବସ୍ଥା ଦେଖାଦେଇଥିବା ବେଳେ କାର୍ଯ୍ୟାଳୟଗୁଡ଼ିକ ନିକଟରେ ସ୍ଥାନାଭାବ ଏହି ସମସ୍ୟାକୁ ଅଧିକ ଜଟିଳ କରିଦେଲାଣି। ଏଭଳି କି ସୁପ୍ରିମକୋର୍ଟ ନିକଟରେ ଥିବା କାକାନଗର ଏକ ଆବାସିକ ଅଞ୍ଚଳ ହୋଇଥିବା ବେଳେ ସେଠାରେ ଆଇନଜୀବୀମାନେ ମନଇଚ୍ଛା ଏବଂ ଜୋରଜବରଦସ୍ତ ଗାଡ଼ି ପାର୍କିଂ କରି ବାସିନ୍ଦାମାନଙ୍କୁ ଡରାଇ ରଖିଥିବା ଉଦାହରଣ ବାରମ୍ବାର ଶୁଣିବାକୁ ମିଳେ।
ଓଡ଼ିଶାର କଟକ, ଭୁବନେଶ୍ୱର, ପୁରୀ, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ରାୟଗଡ଼ା, ଅନୁଗୋଳ, ଯାଜପୁରର କଳିଙ୍ଗନଗର ଭଳି ଅଞ୍ଚଳକୁ ଦେଖିଲେ ସହରାଞ୍ଚଳର ପାର୍କିଂ କେଉଁ ସ୍ତରରେ ରହିଛି ତାହା ଭୁକ୍ତଭୋଗୀ ଅନୁଭବ କରିପାରୁଥିବେ। ଏଠାରେ ପାର୍କିଂଜନିତ ସମସ୍ୟା କିଭଳି ଉଗ୍ର ରୂପ ଧାରଣ କରି କୋର୍ଟ କଚେରି କାର୍ଯ୍ୟକୁ ଦୀର୍ଘଦିନ ଧରି ଅଚଳ କରିପାରେ, ତାହାର ଏକ ଘଟଣା ନଜରକୁ ଆସୁଛି। ଗତବର୍ଷ ଓଡ଼ିଶା ହାଇକୋର୍ଟ ପରିସରରେ ଜଣେ ଆଇନଜୀବୀଙ୍କ ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ଫଳରେ ଓକିଲମାନେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କୋର୍ଟ କାର୍ଯ୍ୟକୁ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବନ୍ଦ କରିଦେଇଥିଲେ। ଏବେ ଦିଲ୍ଲୀର ତିସ୍‌ ହଜାରି କୋର୍ଟ ପରିସରରେ ଘଟିଥିବା ଘଟଣା ଲାଗି ୪ ନଭେମ୍ବରରେ ସେଠାକାର ଓକିଲ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇସାରିଲାଣି। ୩ ନଭେମ୍ବରରେ ଦିଲ୍ଲୀ ହାଇକୋର୍ଟ ଏହି ଘଟଣାରେ କେନ୍ଦ୍ର, ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ, ବାର୍‌ କାଉନ୍‌ସିଲ୍‌ ଅଫ୍‌ ଦିଲ୍ଲୀ ଏବଂ ଦିଲ୍ଲୀ ହାଇକୋର୍ଟ ବାର୍‌ କାଉନ୍‌ସିଲ୍‌କୁ ନୋଟିସ ଜାରି କରିଛନ୍ତି। ଏଥିସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ଏଠାରେ ଗୋଟିଏ ବିଷୟ ମନକୁ ଆସେ। ଭାରତର ଐତିହ୍ୟ ଏବଂ ସଂସ୍କୃତି ସମ୍ପର୍କରେ ଅନେକେ ଗୌରବାନ୍ବିତ ହେଉଥିବା ବେଳେ ବାସ୍ତବରେ ତାହା ପ୍ରତିଦିନ ଜୀବନରେ ଦେଖିବାକୁ ମିଳୁନାହିଁ। ଭାରତୀୟଙ୍କ ଚରିତ୍ରରେ ସାହସିକତାର ଘୋର ଅଭାବ ରହିଛି ବୋଲି କୁହାଯାଇପାରେ। ଏହି ଦେଶରେ ଜୋର ଯା’ର ମୁଲକ ତା’ର ଧ୍ୱନିକୁ ଦେଖିଲେ ବୁଝାପଡ଼େ ଯେ ବ୍ୟକ୍ତିଗତ ସାହସ ନୁହେଁ, ଗୋଷ୍ଠୀବଦ୍ଧ ହୋଇ ଜୁଲମ କରିବା ହୋଇଗଲାଣି ଆମ ସମସ୍ତଙ୍କ ଚରିତ୍ର। ଗ୍ରାମାଞ୍ଚଳକୁ ଦେଖିଲେ ଯେଉଁ ପରିବାରରେ ପାଞ୍ଚ ସାତ ଜଣ ଶକ୍ତିଶାଳୀ ପୁତ୍ର, କକା କିମ୍ବା ଦାଦା ଥିବେ, ସେହି ପରିବାର ସମଗ୍ର ଗାଁ ଉପରେ ଅକ୍ତିଆର କରି ବସିପାରୁଛି। କେବଳ ସେତିକି ନୁହେଁ, ମହିଳାମାନଙ୍କୁ ଅସଦାଚରଣ ଏବଂ ଦୁର୍ବଳଙ୍କ ପ୍ରତି ଅନ୍ୟାୟ କଲେ ମଧ୍ୟ ଅନ୍ୟମାନେ ନିରବତାର ସହ ବାଟ ଆଡ଼େଇ ପଳେଇ ଯାଉଛନ୍ତି। ଅସାମାଜିକ ବ୍ୟକ୍ତିମାନଙ୍କ ପାଇଁ ଏକଜୁଟ ହେବା ଆମର ସାମାଜିକ ବାସ୍ତବତା ପାଲଟିଲାଣି। ସମ୍ଭବତଃ ସେଥିପାଇଁ ଦିଲ୍ଲୀ କଚେରିରେ ମଧ୍ୟ କେହି ପ୍ରଶ୍ନ କରିବାକୁ ନାହାନ୍ତି ଯେ କେଉଁ କାରଣରୁ ଓକିଲମାନେ ଏକାଠି ହୋଇ ପୋଲିସ ଉପରେ ଆକ୍ରମଣ କଲେ। ଅନ୍ୟପଟେ ଶାନ୍ତି ରକ୍ଷା କରିବା ପରିବର୍ତ୍ତେ ଏବଂ ପ୍ରୟୋଜନ ହୋଇଥିଲେ ସେହି ସ୍ଥାନରୁ ଓହରି ଯିବା ଭଳି କାର୍ଯ୍ୟ କରିବାକୁ ପୋଲିସ ମଧ୍ୟ ଅନିଚ୍ଛୁକ। କେହି କାହାଠାରୁ କମ୍‌ ନୁହେଁ ବୋଲି ଦେଖେଇ ହେବା ହେଉଛି ଆଧୁନିକ ଭାରତର ଚରିତ୍ର। ଆଜି ଦିଲ୍ଲୀ, ଗତ କିଛିମାସ ପୂର୍ବେ ଓଡ଼ିଶା ଏବଂ ଭବିଷ୍ୟତରେ ଅନ୍ୟ କେଉଁଠି ମଧ୍ୟ ଏହିଭଳି ଅସହିଷ୍ଣୁତାର ଚିତ୍ର ଗ୍ୟାଙ୍ଗ ଯୁଦ୍ଧରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri