ଗ୍ୟାସ ଟାଙ୍କି ଫାଟି ଘରେ ଲାଗିଲା ନିଆଁ

ଛତ୍ରପୁର,୨୧।୧୧(ଡି.ଏନ.ଏ):ଛତ୍ରପୁର କୋର୍ଟ ଷ୍ଟେଶନ ସାହିର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଘରେ ଗୁରୁବାର ପୂର୍ବାହ୍ନରେ ରନ୍ଧନ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ଅପରପକ୍ଷରେ ଏଥିରେ କେହି ମୃତାହତ ହୋଇ ନ ଥିଲେ ହେଁ ଘରର ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ମିଳିଥିବା ସୂଚନା ଅନୁସାରେ, ସୂର୍ଯ୍ୟ ଘରେ ନ ଥିବାବେଳେ ଏଭଳି ଅଘଟଣ ଘଟିଛି। ଘରକୁ ଫେରିବା ପରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ ସୂର୍ଯ୍ୟ। ଏସମ୍ପର୍କରେ ଛତ୍ରପୁର ଦମକଳ ବାହିନୀ, ଛତ୍ରପୁର ଅଷ୍ଟମ ବାଟାଲିୟନର ଓଡ୍ରାଫ୍‌ (ଓଡିଶା ଡିଜାଷ୍ଟର ରାପିଡ୍‌ ଆକ୍ସନ ଫୋର୍ସ) ଟିମ୍‌ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏପରିକି ଘରେ ଥିବା ଆଉ ଏକ ଗ୍ୟାସ ଟାଙ୍କିକୁ ଉଦ୍ଧାର କରାଯାଇଥିଲା। ଫଳରେ ଆଉ ଅଘଟଣକୁ ଏଡାଇ ଦିଆଯାଇଥିଲା। ଘଟଣାସ୍ଥଳରେ ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଓ ତାଙ୍କ ଟିମ୍‌ ପହଞ୍ଚି ସେଠାରେ ନିଆଁକୁ ନିୟନ୍ତ୍ରିତ କରିଥିଲେ।