ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ: ଜଣେ ଗୁରୁତର

ପୁରୁଷୋତ୍ତମପୁର,୧୯।୯(ଡି.ଏନ.ଏ.):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତର କୁଶପୁର ଗ୍ରାମରେ ଗୁରୁବାର ରନ୍ଧନ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ପରିବାରର ଘର ପୋଡି ଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ରାଜେନ୍ଦ୍ର ସାହୁ (୩୬)। ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ର୍ଭିି କରିଛନ୍ତି। ଖବର ପାଇ ପୁରୁଷୋତ୍ତମପୁର ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଲେ। ସୂଚନାଯୋଗ୍ୟ, ରାଜେନ୍ଦ୍ର ସାହୁ ନିଜ ଘରେ ଗ୍ୟାସରେ ରୋଷେଇ କରିବାବେଳେ ହାଠାତ୍‌ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଫଳରେ ତାଙ୍କ ଘରେ ନିଆଁ ଲାଗିଥିଲା । ସେ ନିଆଁରେ ପୋଡି ଗୁରୁତର ଭାବେ ଆହତ ହୋଇଥିଲେ। ଏହି ନିଆଁ ତାଙ୍କର ପଡୋଶୀ ଘରକୁ ଲାଗି ସାବିତ୍ରୀ ସାହୁ ଓ ରାମଚନ୍ଦ୍ର ସାହୁଙ୍କ ଘର ମଧ୍ୟ ପୋଡି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ଘରର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି।