ଘଡ଼ୁଆଳରେ ଗୟଳ ଆତଙ୍କ: ୩ ଆହତ

ନୟାଗଡ଼ ଅଫିସ, ୨୧।୧୦: ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଘଡ଼ୁଆଳ ଗ୍ରାମରେ ସୋମବାର ଏକ ଗୟଳ ଆତଙ୍କ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଗୟଳ ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମୟ ସମ୍ବାରି ବରାଡ଼, ବାବୁଲା ପାଳ ଓ ଶରତ ପଣ୍ଡା। ଚିକିତ୍ସା ପାଇଁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ରବିବାର ଗ୍ରାମକୁ ଏକ ଗୟଳ ପଶିଆସିଥିଲା। ସୋମବାର ଭୋର ସମୟରେ ସମ୍ବାରି ଶୌଚ ହେବାକୁ ଯାଇଥିବା ବେଳେ ଗୟଳ ତାଙ୍କୁ ଆକ୍ରମଣ କରିଥିଲା। ପରେ ଗୟଳଟି ଗ୍ରାମରେ ପଶି ବାବୁଲା ଓ ଶରତଙ୍କୁ ଆକ୍ରମଣ କରିଥିଲା। ଖବର ପାଇଁ ବନବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ଗୟଳକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।