ଘନ କୁହୁଡ଼ିରେ ପିକନିକ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୫ ଗୁରୁତର

ଭୋଗରାଇ,୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ନହରା ଛକଠାରେ ଶନିବାର ଭୋର ସମୟରେ ଏକ ବୋଲେରୋ ଘନ କୁହୁଡ଼ିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ୧୦ଜଣ ବଙ୍ଗୀୟ ବ୍ୟକ୍ତିଙ୍କ ମଧ୍ୟରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଭୋଗରାଇ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରୁ ତାଙ୍କୁ ଦୀଘା ସରକାରୀ ଚିକିତ୍ସାଳୟ ପରେ କୋଲକାତା ହସ୍‌ପିଟାଲ ପଠାଯାଇଥିବା ସୂଚନା ମିଳିଛି।
ପଶ୍ଚିମବଙ୍ଗ ପୁରୁଳିଆ ଜିଲା ଅଞ୍ଚଳରୁ ବୋଲେରୋରେ ୧୦ଜଣ ବ୍ୟକ୍ତି ଦୀଘା ପିକନିକ୍‌ କରିବାକୁ ଜଳେଶ୍ୱର ଏନ୍‌ଏଚ୍‌ ୧୬ ରାଜପଥ ଦେଇ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ଦୀଘା ଅଭିମୁଖେ ଆସୁଥିଲେ। ନହରା ଛକରେ ଘନ କୁହୁଡ଼ି ହେବାରୁ ଗାଡ଼ି ଧୀରେ ଧୀରେ ଚାଲୁଥିବା ବେଳେ ପଛପଟୁ ଏକ ବାଲି ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ବୋଲେରୋ ୬ ଫୁଟ୍‌ ତଳ ନୟନଯୋରିକୁ ଖସି ପଡ଼ିଥିଲା।