ଗୋପାଳପୁର,୧୯।୧(ଡି.ଏନ୍.ଏ.): କିଛିଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଘନକୁହୁଡ଼ି ଦେଖାଦେଉଛି। ଏହି କୁହୁଡ଼ି ଯୋଗୁ ଗଞ୍ଜାମ ଜିଲା ଗୋପାଳପୁର ସମୁଦ୍ର ମଝିରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇ ଲକ୍ଷାଧିକ ଟଙ୍କାର ଜାଲ, ଡଙ୍ଗା ଓ ମୋଟର ନଷ୍ଟ ହୋଇଥିବା ବେଳେ ୧୮ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାଯୋଗ୍ୟ, ଗୋପାଳପୁର ଏନ୍ଏସିର ମତ୍ସ୍ୟଜୀବୀ ପରିବାର ଶନିବାର ମାଛ ମାରିବାକୁ ଡଙ୍ଗା ଧରି ସମୁଦ୍ର ଭିତରକୁ ଯାଇଥିଲେ। ମାଛ ଧରିବା ପରେ ଲଙ୍ଗର ପକାଇ ସେଠାରେ ଅଟକି ରହିଥିଲେ। ଅନ୍ୟ ଏକ ଡଙ୍ଗାରେ ୯ ଜଣ ଉକ୍ତ ମାଛକୁ ଆଣିବା ପାଇଁ ରବିବାର ଭୋର ସମୟରେ ସମୁଦ୍ର ଭିତରକୁ ଯାଇଥିଲେ। ଏହି ସମୟରେ ସମୁଦ୍ର ମଧ୍ୟରେ ଏକ ବଡ଼ ଲହଡ଼ି ଆସିବା ଫଳରେ କୁହୁଡ଼ି ଯୋଗୁ ଲଙ୍ଗର ପକାଇଥିବା ଡଙ୍ଗା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୧୮ ଜଣ ମତ୍ସ୍ୟଜୀବୀ ପ୍ରାଣ ବିକଳରେ ସମୁଦ୍ରକୁ ଡେଇଁପଡ଼ି ପହଁରି ପହଁରି କୂଳକୁ ଆସିଥିଲେ। ଏହି ଦୁର୍ଘଟଣାରେ ୪ ମତ୍ସ୍ୟଜୀବୀ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଗୋଟିଏ ଡଙ୍ଗା ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଅନ୍ୟ ଡଙ୍ଗାଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୦ ଲକ୍ଷରୁ ଊଦ୍ଧର୍ବ ଟଙ୍କାର କ୍ଷୟକ୍ଷତି ହୋଇଥିବା ମତ୍ସ୍ୟଜୀବୀଙ୍କ ସୂତ୍ରରୁ ସୂଚନା ମିଳିଛି । ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।