ଘନ କୁହୁଡ଼ି ନେଇ ଦୁଇଦିନ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୮ା୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଗରମ ଅନୁଭୂତ ହେଲାଣି। ଦିନରେ ପ୍ରବଳ ଖରା ହେଉଛି। ଲାଗୁଛି ଏଥର ଖରାଦିନ ଲୋକଙ୍କୁ ଛଟପଟ କରିବ। ଅପରପକ୍ଷେ ସୋମବାର ପୁଣି କୁହୁଡ଼ି ପରିଲକ୍ଷିତ ହୋଇଛି। ବିଶେଷକରି ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଗଞ୍ଜାମ ଆଦି ଜିଲାରେ ସକାଳୁ ପ୍ରବଳ କୁହୁଡ଼ି ଆଚ୍ଛାଦିତ ହୋଇ ରହିଥିଲା। ଆସନ୍ତା ୩ ଦିନ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ମଙ୍ଗଳବାର ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କଟକ, ନୟାଗଡ଼, କନ୍ଧମାଳ ଆଦି ୬ଜିଲାକୁ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ବୁଧବାର କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, କୋରାପୁଟ, ନୟାଗଡ଼, ଅନୁଗୋଳ, ଭଦ୍ରକ ଓ ଯାଜପୁର ଆଦି ୮ଜିଲାକୁ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଅନ୍ୟପଟେ ସୋମବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।

Share