ଘରକୁ ଦିଅନ୍ତୁ ନୂଆ ଲୁକ୍‌

ଘରକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ଲାଗି ଦୀର୍ଘଦିନ ପର୍ଯ୍ୟନ୍ତ ଏକାପ୍ରକାର ସାଜସଜ୍ଜା ନ ରଖି ମଝିରେ ମଝିରେ ପରିବର୍ତ୍ତନ ଆବଶ୍ୟକ। ତେବେ ଏଥିପାଇଁ ଯେ, କେବଳ ଦାମୀ ଆସବାବପତ୍ର କିମ୍ବା ଗୃହସଜ୍ଜା ଉପକରଣ ଦରକାର ତାହା ଭାବିବା ଠିକ୍‌ ନୁହେଁ। ଆପଣ ଚାହିଁଲେ କିପରି ଅଳ୍ପ ଖର୍ଚ୍ଚରେ ମଧ୍ୟ ଘରକୁ ନୂଆ ଲୁକ୍‌ ଦେଇ ପାରିବେ, ଜାଣି ରଖନ୍ତୁ ସେ ସମ୍ପର୍କରେ …
କାନ୍ଥର ରଙ୍ଗ ବଦଳାଇବା ଦ୍ୱାରା ଘରକୁ ସମ୍ପୂର୍ଣ୍ଣ ନୂଆ ଲୁକ୍‌ ମିଳିଥାଏ। ଯଦି ଏଥିପାଇଁ ଅଧିକ ଖର୍ଚ୍ଚ ହେବ ଭାବୁଥାନ୍ତି ତେବେ ଡ୍ରଇଂରୁମ୍‌, ବେଡ୍‌ରୁମ୍‌ ଆଦିର କାନ୍ଥରେ ଓ୍ବାଲ୍‌ପେପର୍‌ ଲଗାଇ ପରିବେ। ଏହା ଖୁବ୍‌ ଆକର୍ଷଣୀୟ ଲାଗିବ।
ଘର ଭିତରେ କେବଳ ସ୍କ୍ରିନ୍‌ ବଦଳାଇ ଦେଲେ ଲୁକ୍‌ ଅନେକାଂଶରେ ବଦଳି ଯାଇଥାଏ। ତେଣୁ ପୁରୁଣା ସ୍କ୍ରିନ୍‌କୁ କାଢି କୌଣସି ଭଲ ରଙ୍ଗର ତଥା ଡିଜାଇନ୍‌ର ସ୍କ୍ରିନ୍‌ ଲଗାନ୍ତୁ ଦେଖିରେ ଘର ଖୁବ୍‌ ସୁନ୍ଦର ଲାଗିବ।
ସୋଫା ଏବଂ କୁସନ କଭର ବଦଳାଇବା ଦ୍ୱାରା ବି ଘରର ଲୁକ୍‌ ବଦଳିଥାଏ। ଡ୍ରଇଂରୁମ୍‌ରେ ଫର୍ନିଚରର ସ୍ଥାନ ପରିବର୍ତ୍ତନ କରିବା ଦ୍ୱାରା ବି ନୂଆ ଲୁକ୍‌ ମିଳିଥାଏ। ବର୍ତ୍ତମାନ ଡ୍ରଇଂ ରୁମ୍‌ରେ ଲୋୟର ସିଟିଂ ଆରେଞ୍ଜମେଣ୍ଟ ଏକ ଲାଟେଷ୍ଟ ଡିଜାଇନ୍‌ ପାଲଟିଛି। ଆପଣ ଚାହିଁଲେ କିଛି ପୁରୁଣା ଚେୟାର ଆଦି ବାହାର କରି ତଳେ ଲୋୟର ସିଟିଂ ଆରେଞ୍ଜମେଣ୍ଟ କରି ପାରିବେ। ଏହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ସୁନ୍ଦର ସୁନ୍ଦର କୁସନ୍‌ ରଖିପାରିବେ।
ଘରର ଇଣ୍ଟେରିଅରକୁ ସୁନ୍ଦର କରିବାରେ ଲାଇଟ୍‌ର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ତେଣୁ ଘରକୁ ନୂଆ ଲୁକ୍‌ ଦେବାକୁ ଚାହିଁଥିଲେ କିଛି କଲରଫୁଲ୍‌ ଲାଇଟ୍‌ ବ୍ୟବସ୍ଥା କରିପାରିବେ।
ବିଭିନ୍ନ ସ୍ଥାନରେ ଫ୍ଲାଓ୍ବାର୍‌ ଭେସ୍‌ ରଖିପାରିବେ କିମ୍ବା ଇନ୍‌ଡୋର ପ୍ଲାଣ୍ଟ ରଖିପାରିବେ। ଏହାଦ୍ୱାରା ଘର ପୂର୍ବାପେକ୍ଷା ଅଧିକ ସୁନ୍ଦର ଲାଗିବ।
ଘର ଭିତରେ ଅଧିକ ଜିନିଷ ନ ରଖି ଆବଶ୍ୟକତାରେ ଆସୁ ନ ଥିବା ପୁରୁଣା ଫର୍ନିଚର କାଢି ଦେବା ଦ୍ୱାରା ବି ଘର ଫାଙ୍କା ଏବଂ ଭଲ ଲାଗିବ।