ଘରକୁ ଫେରିପାରୁ ନ ଥିଲେ ୩ ସନ୍ତାନ ଜନ୍ମ ଦେଇଥିବା ପ୍ରସୂତୀ: ମହିଳାଙ୍କୁ ସହଯୋଗର ହାତ ବଢାଇଲେ ପ୍ରଭାତ

କଟକ ଅଫିସ,୧୨।୪: ଏସ୍‌ସିବି ମେଡିିକାଲରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ଘରକୁ ଫେରି ପାରୁ ନ ଥିବା ଜଣେ ମହିଳାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ପ୍ରଭାତଙ୍କ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଜରିଆରେ ମହିଳା ଓ ତାଙ୍କ ୩ ନବଜାତକ ଶନିବାର ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଘରୋଇ ଆମ୍ବୁଲାନ୍ସଗୁଡ଼ିକର ଆକାଶଛୁଆଁ ଭଡ଼ା ଯୋଗୁ ଅନେକ ରୋଗୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଯାଜପୁର ଜିଲା ବିଞ୍ଝାରପୁର ଅନ୍ତର୍ଗତ ବିଡ଼ାପଡ଼ା ଗ୍ରାମର ଶଶିରେଖା ସାହୁ ଏସ୍‌ସିବି ମେଡ଼ିକାଲରେ ୩ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତାଙ୍କ ସ୍ବାମୀ ବୁଲୁ ସାହୁ ମୁମ୍ବାଇରେ ଥିବାବେଳେ ଲକଡାଉନ ଯୋଗୁ ଓଡ଼ିଶା ଫେରି ପାରି ନ ଥିଲେ। ଶଶିରେଖା ୭ଦିନ ଏସ୍‌ସିବିରେ ରହିବା ପରେ ଶୁକ୍ରବାର ତାଙ୍କୁ ଡିସଚାର୍ଜ ଅର୍ଡର ମିଳିଥିଲା। ତେବେ କେମିତି ଘରକୁ ଫେରିବେ ସେଇ ଚିନ୍ତା ଘାରିଥିଲା। ଶଶୀରେଖାଙ୍କ ଭାଇ କହିବା ମୁତାବକ, ଘରୁ ସରକାରୀ ଆମ୍ବୁଲାନ୍ସରେ ଆସିଥିଲୁ। ଫେରିବା ପାଇଁ ଘରୋଇ ଆମ୍ବୁଲାନ୍ସ ଯୋଗାଡ଼ କରିଥିଲୁ। ହେଲେ ସେ ଯେଉଁ ଭଡ଼ା କହିଥିଲେ ତାହା ଦେବାକୁ ଆମ ପକ୍ଷେ ସକ୍ଷମ ନ ଥିଲା। ଏ ନେଇ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହିତ ଯୋଗାଯୋଗ କରିଥିଲୁ। ସେ ଆମ୍ବୁଲାନ୍ସ ପଠାଇବା ସହ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ।

Share