ଘରକୁ ଫେରିବାବେଳେ ବାଟବଣା ହେଲେ, କ୍ୱାରାଣ୍ଟାଇନ ସେଣ୍ଟରରେ ରହିଲେ ଶ୍ରମିକ

ଖପ୍ରାଖୋଲ, ୨୮ା୪(ଡି.ଏନ.ଏ.): ଲକଡାଉନ୍‌ ଯୋଗୁଁ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ଦାଦନ ଶ୍ରମିକ । ଖାଲି ରାଜ୍ୟ ବାହାରେ ନୁହଁ ରାଜ୍ୟ ଭିତରେ ବି ଭୋଗୁଛନ୍ତି ସମସ୍ୟା । ଫଳରେ କାମ ଅଭାବରେ ଶ୍ରମିକମାନେ ହେଉଛନ୍ତି ଘରମୁହଁା । ହେଲେ କେତେବେଳେ ସେମାନେ ଘରକୁ ଯିବା ରାସ୍ତାରେ ବାଟବଣା ହୋଇ କ୍ୱାରାଣ୍ଟାଇନ ସେଣ୍ଟରରେ ବି ରହୁଥିବା ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ । ସୂଚନା ଅନୁସାରେ ନୂଆପଡା ଜିଲା ଧରମବନ୍ଧା ଏବଂ ରତିପାଲି ଗାଁର ୨ ପରିବାର ତିନି ଶିଶୁଙ୍କ ସମେତ ମୋଟ ୭ଜଣ ଦାଦନ ଶ୍ରମିକ ବଲାଙ୍ଗୀର ଜିଲା ତୁଷୁରା ଗାଁ ପାଖରେ ଇଟାକାମ କରୁଥିଲେ । ହେଲେ ଲକ୍‌ଡାଉନ୍‌ ଯୋଗୁଁ କାମ ବନ୍ଦ ହୋଇଯିବାରୁ ଚାଲିଚାଲି ବଲାଙ୍ଗୀର ଯାଏଁ ଆସିଲା ପରେ ଏକ ଅଟୋ କରି ଘରକୁ ଫେରୁଥିଲେ । ହେଲେ ଅଟୋ ଚାଳକ କେବଳ ବଲାଙ୍ଗୀର ଜିଲା ସୀମା ଯାଏଁ ଛାଡିଦେବାକୁ କହି ହରିଶଙ୍କର ରୋଟ ବଦଳରେ ହରିଶଙ୍କରଠାରେ ଆଣି ଛାଡିଦେଇଥିଲା । ଫଳରେ ଶ୍ରମିକମାନେ ବାଟବଣା ହୋଇ ପିଲାଛୁଆ, ବ୍ୟାଗପତ୍ର ଧରି ବୁଲୁଥିବାବେଳେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ସୁରେଶ ପୂଝାରୀଙ୍କୁ ଜଣାଇଥିଲେ । ସରପଞ୍ଚ ପୂଝାରୀ ସମସ୍ତ ଶ୍ରମିକଙ୍କୁ ନାନ୍ଦୁପଲା ସ୍କୁଲରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଇଥିବା ଜଣାଯାଇଛି । ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପଚାରିବାରୁ ପଞ୍ଚାୟତରେ ୧୪ଦିନ ଯାଏଁ ରଖାଯାଇପାରିବ ବୋଲି କହିଛନ୍ତି। ତହସିଲଦାର ନିରଞ୍ଜନ ନାଏକ କହିଛନ୍ତି ଯେ, ନୂଆପଡା ଜିଲା ପ୍ରଶାସନ ସହ ଯୋଗାଯୋଗ ଚାଲିଛି । ସେମାନେ ନିଜ ଗାଁକୁ କିଭଳି ଯାଇପାରିବେ ସେ ନେଇ ଚିନ୍ତା କରାଯାଉଛି ବୋଲି କହିଛନ୍ତି।

Share