ଘରକୁ ଫେରିବେ ଫସି ରହିଥିବା ଓଡ଼ିଆ: କର୍ଣ୍ଣାଟକ-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ୱର, ୨।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁୟୁରପ୍ପା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗମୋହନ ରେଡ୍ଡିୀଙ୍କ ସହ କଥା ହୋଇଛନ୍ତି। ଉଭୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଲକ୍‌ଡାଉନ୍‌ ସମୟରେ ଉଭୟ ରାଜ୍ୟ ସରକାର ସେଠାରେ ରହିଥିବା ଓଡ଼ିଆମାନଙ୍କର ଉପଯୁକ୍ତ ଯତ୍ନ ନେଇଥିବାରୁ ନବୀନ ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାଛଡ଼ା ଓଡ଼ିଶା ଆସିବାକୁ ଚାହୁଁଥିବା ଓଡ଼ିଆ ଲୋକମାନେ ଯେପରି ସୁବିଧାରେ ଫେରି ଆସି ପାରିବେ ସେଥିରେ ସହଯୋଗ କରିବାକୁ ସେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ସରକାର ଇତି ମଧ୍ୟରେ ଅନେକ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେଣୁ ଯେଉଁମାନେ ଚାହିଁବେ ସେମାନେ ସେଠାରେ ରହି ମଧ୍ୟ କାମ କରିପାରିବେ। ଅପରପକ୍ଷେ ଯେଉଁମାନେ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଓଡ଼ିଶା ଫେରିବାକୁ ଆଗ୍ରହୀମାନେ ରାଜ୍ୟ ସରକାରଙ୍କ ଅନ୍‌ଲାଇନ୍‌ ପୋର୍ଟାଲରେ ରେଜିଷ୍ଟ୍ରେଶନ କରିପାରିବେ ସେଥିପାଇଁ ସହଯୋଗ କରିବାକୁ କନ୍‌ଫରେନ୍ସିଂରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ। ଶେଷରେ ଲୋକମାନଙ୍କ ସ୍କ୍ରିନିଂ, ରେଜିଷ୍ଟ୍ରେଶନ, ଯାତ୍ରା ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଏକ ବିଧିବଦ୍ଧ ପ୍ରୋଟୋକଲ୍‌ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଠା ଆର୍‌. ବାଲକ୍ରିଷ୍ଣନ୍‌, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share