ଘରପୋଡି କ୍ଷତିଗ୍ରସ୍ତଙ୍କୁ ସରକାରୀ ଆବାସ ଯୋଜନା ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ନପଙ୍ଗା ଗ୍ରାମରେ ଅଗ୍ନିକାଣ୍ଡରେ ଗତ ମାର୍ଚ୍ଚ ୨୫ ତାରିଖରେ ୫ ପରିବାରର ୧୦ ବଖରା ଘର ପୋଡିଯାଇଥିଲା। ଗ୍ରାମର ବାବାଜି ଚରଣ ଦାସ, ରାମଚନ୍ଦ୍ର ଦାସ, ଅମରେନ୍ଦ୍ର ଦାସ, ସମରେନ୍ଦ୍ର ଦାସ ଓ ଶିବ ପ୍ରସାଦ ଦାସ ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଘଟଣାସ୍ଥଳରେ ଘସିପୁରା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମଦନ ମୋହନ ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି କ୍ଷତିଗ୍ରସ୍ତ ପରିବାରକୁ ଘସିପୁରା ତହସିଲ ପକ୍ଷରୁ ପଲିଥିନ୍‌ର ବ୍ୟବସ୍ଥା କରିବା ସହିତ ଜରୁରିକାଳୀନ ୩୨୦୦ ଟଙ୍କା ସହାୟତା ପ୍ରଦାନ କରାଯାଇ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଇଥିଲା। ଦୀର୍ଘ ୩ ମାସ ହେବ ଏହି ପରିବାରବର୍ଗ ପଲିଥିନ୍‌ ତଳେ ଜୀବନ ଅତିବାହିତ କରୁଥିବାବେଳେ ଆଗକୁ ବର୍ଷା ଦିନ ଆସୁଥିବାରୁ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କ ଚିନ୍ତା ବଢିଛି। ସରକାରୀ ଆବାସ ଯୋଜନାରେ ଘରପୋଡି କ୍ଷତିଗ୍ରସ୍ତଙ୍କୁ ଗୃହ ଯୋଗାଇଦେବାକୁ ସମିତି ସଭ୍ୟ ସ୍ମୃତିରଞ୍ଜନ ମିଶ୍ର ଦାବି କରିଛନ୍ତି।