Categories: ମେଟ୍ରୋ

ଘରଭଙ୍ଗା ସର୍ଭେରେ ଅନିୟମିତତା: କ୍ଷତିଗ୍ରସ୍ତଙ୍କ କଟକ ସଦର ବ୍ଲକ ସମ୍ମୁଖରେ ଧାରଣା

କଟକସଦର, ୧୧।୬(ଡି.ଏନ୍‌.ଏ.): ବାତ୍ୟା ପରିବର୍ତ୍ତୀ ଘରଭଙ୍ଗା ସର୍ଭେରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ମଙ୍ଗଳବାର ପରମହଂସ ପଞ୍ଚାୟତ ରଘୁନାଥପୁର ଗ୍ରାମବାସୀ କଟକ ସଦର ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି। ପକ୍କା ଘରଥିବା ଲୋକଙ୍କ ନାମ ଘର ଭଙ୍ଗା ତାଲିକାରେ ଥିବା ବେଳେ ଚାଳଘର ଥିବା ଲୋକଙ୍କ ନାମ ଅନ୍ତର୍ଭୁକ୍ତ କରା ନ ଯିବା ଏହି ଧାରଣାର କାରଣ ବୋଲି ଜଣାପଡ଼ିଛି। ବେଣୁଧର ରାଉତ, ସୁଲତାନ ଖାଁ, ପ୍ରଭାକର ବେହେରା ଓ ଦୈତାରୀ ବେହେରାଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଲୋକ ଧାରଣାସ୍ଥଳରେ ବିଡିଓ ଦେବାଶିଷ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ରାଜସ୍ବ ବିଭାଗ ଦ୍ୱାରା ଘରଭଙ୍ଗା ସର୍ଭେ କରାଯାଇଥିବାରୁ ବ୍ଲକ ପ୍ରଶାସନ କିଛି କରିପାରିବ ନାହିଁ ବୋଲି ପଟ୍ଟନାୟକ କହିଛନ୍ତି। ଏଥିରେ ଧାରଣାକାରୀମାନେ ସନ୍ତୁଷ୍ଟ ନ ହୋଇ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି କହିଛନ୍ତି। ମଧ୍ୟାହ୍ନ ପର୍ଯ୍ୟନ୍ତ ଧାରଣା ଚାଲୁ ରହିଛି।

Share