ଘରୁ ଚାଲିଥିଲା ଗଞ୍ଜେଇ ବେପାର: ସୋଲପଟା ଗ୍ରାମରେ ଯାଜପୁର ରୋଡ୍‌ ଅବକାରୀ ବିଭାଗର ଚଢ଼ାଉ; ୮୮ କେଜି ଗଞ୍ଜେଇ ସହ ମହିଳା ଗିରଫ

ଯାଜପୁର ରୋଡ୍‌,୩୧।୫(ନି.ପ୍ର.): ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ରୋଡ୍‌ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ପାଣିକୋଇଲି ଥାନା ସୋଲପଟା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ୮୮କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସେ ହେଲେ ମିନତୀ ମଲ୍ଲିକ।

ସୂଚନାନୁଯାୟୀ, ଗ୍ରାମର ରଞ୍ଜନ ମଲ୍ଲିକ ଓ ସ୍ତ୍ରୀ ମିନତୀ ସମ୍ବଲପୁର ଅଞ୍ଚଳରୁ ଗଞ୍ଜେଇ ଆଣି ଜିଲାର ବିଭିନ୍ନ ଅଞ୍ଚଳକୁ ଯୋଗାଉଥିଲେ। ଏ ନେଇ ଜିଲା ପ୍ରଶାସନ ପାଖରେ ଖବର ଥିଲା। ପୂର୍ବାହ୍ନରେ ହଠାତ୍‌ ଅବକାରୀ ବିଭାଗ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାନ୍ତି ସଦଳବଳେ ରଞ୍ଜନଙ୍କ ଘରେ ଚଢ଼ାଉ କରିଥିଲେ। ଘରେ ୨ ବସ୍ତା ଗଞ୍ଜେଇ ପୋଲିସ ଜବତ କରିଥିଲା। ତେବେ ରଞ୍ଜନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ମିନତୀଙ୍କୁ ପୋଲିସ ଗିରଫ କରିଛି। ଏ ନେଇ ଥାନାରେ ମାମଲା(ନଂ-୨୯/୧୯) ରୁଜୁ କରାଯାଇ ଅଭିଯୁକ୍ତ ମିନତୀଙ୍କୁ ଯାଜପୁର ରୋଡ୍‌ କୋର୍ଟକୁ ଚାଲାଣ କରାଯାଇଛି।

Share