ଘରୁ ତରକାରି ଆଣି ପିଲା ଖାଇଲେ ମଧ୍ୟାହ୍ନଭୋଜନ

ପଦ୍ମପୁର,୫ା୧(ଡି.ଏନ୍‌.ଏ.)- ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ସରକାର ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। ହେଲେ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି। ମଧ୍ୟାହ୍ନଭୋଜନରେ ପିଲାଙ୍କୁ ତରକାରି ବଦଳରେ ଦିଆଯାଇଛି ସିଝା ଅଣ୍ଡା। ଏମିତି କି କେତେ ଜଣ ପିଲା ଘରୁ ତରକାରି ଆଣି ଭାତ ଖାଇଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ପଦ୍ମପୁର ବ୍ଲକରେ।
ପଦ୍ମପୁର ବ୍ଲକରେ ରହିଛି ଏହି ଜୁମୁରୁଗୁଡ଼ା ଉପରସାହି ପ୍ରାଥମିକ ବିଦ୍ୟାଳୟ। ଏଠାରେ ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୮୭ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ା ଶିକ୍ଷକମାନେ ଏହି ବିପଦସଙ୍କୁଳ ଘରେ ପିଲାଙ୍କୁ ପଢ଼ାଉଛନ୍ତି। ଏଠାରେ ପରିସ୍ରାଗାରଟିଏ ମଧ୍ୟ ନାହିଁ। ତେଣୁ ପିଲାମାନେ ପରିସ୍ରା କରିବାକୁ ସ୍କୁଲ ପଛପଟ ଶ୍ମଶାନ ନିକଟକୁ ଯାଉଛନ୍ତି। ସେହିପରି ସ୍କୁଲର ପାଚେରି ନ ଥିବାରୁ ଗୋରୁଗାଈ ଅବାଧରେ ପ୍ରବେଶ କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଆମ କଥା ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏମିତି କି ସ୍କୁଲରେ ଶନିବାର ପିଲାଙ୍କୁ ଅଣ୍ଡା ତରକାରି ବଦଳରେ ସିଝା ଅଣ୍ଡା ଦିଆଯାଇଥିଲା। ତେଣୁ କେତେ ଜଣ ଛାତ୍ରୀଛାତ୍ର ଘରୁ ତରକାରି ଆଣି ଖାଇଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ନେଇ ସ୍କୁଲର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷୟିତ୍ରୀ ଲଳିତା ଶତପଥୀଙ୍କୁ ପଚାରିବାରୁ, ମୁଁ ଏଠାକାର ପ୍ରଧାନଶିକ୍ଷୟିତ୍ରୀ ନୁହେଁ। ଏଠାକାର ପ୍ରଧାନଶିକ୍ଷକ ରାଇଲପଦର ଯାଇଛନ୍ତି, ତାଙ୍କୁ ପଚାରି ବୁଝ ବୋଲି କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାମଚନ୍ଦ୍ର ବେହେରାଙ୍କୁ ପଚାରିବାରୁ, ଉକ୍ତ ଶିକ୍ଷୟିତ୍ରୀ ହିଁ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱରେ ଅଛନ୍ତି। ଆମେ ସମ୍ପୃକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିବୁ ବୋଲି କହିଛନ୍ତି।

Share