ଘରୁ ଦୂରାନ୍ତୁ ଅସରପା

ରୋଷେଇ ଘରେ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ବାସନ ଆଦି ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ରହୁଥିବାରୁ ଅସରପା ରହିବା ମାରାତ୍ମକ। କାରଣ ଏହା କିଚେନ୍‌ର କୋଣଗୁଡ଼ିକ ଏବଂ ପ୍ରତି ଛୋଟ ବଡ଼ ସ୍ଥାନକୁ ସହଜରେ ଯାଇ ଜୀବାଣୁ ଛାଡ଼ିଥାନ୍ତି, ଯାହାକି ଆମ ଶରୀରକୁ ଆସି ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ। ତେଣୁ କିପରି ଅସରପା ଦୂର କରିବେ ଜାଣି ରଖନ୍ତୁ…

– ବୋରାକ୍ସ ଏବଂ ଚିନିକୁ ଏକାଠି ଗୋଳାଇ ରାତିରେ କିଚେନ୍‌ରେ ଥିବା ଡ୍ର, ଆଲମିରା, ଡଷ୍ଟବିନ୍‌, ସିଙ୍କ୍‌ ଆଦି ଅସରପା ହେଉଥିବା ସ୍ଥାନରେ ରଖି ଦିଅନ୍ତୁ। ସକାଳୁ ଉଠି ଦେଖିବେ ଉକ୍ତ ସ୍ଥାନରେ ଅସରପା ମରି ପଡ଼ିଥିବେ। ତେବେ ମନେରଖନ୍ତୁ ଏପରି କରିବା ସମୟରେ ଖାଦ୍ୟ ପଦାର୍ଥ ଖୋଲାରେ ଆଦୌ ରଖନ୍ତୁ ନାହିଁ। ଘରେ ଛୋଟପିଲା କିମ୍ବା ପୋଷା ଜୀବଜନ୍ତୁ ଥିଲେ ଯେପରି ଏହା ସଂସ୍ପର୍ଶରେ ନ ଆସନ୍ତି ଧ୍ୟାନ ରଖନ୍ତୁ।
– ବୋରାକ୍ସ ବଦଳରେ ଆପଣ ବେକିଂ ସୋଡ଼ା ସହିତ ଚିନି ଗୋଳାଇ ପାରିବେ। ଏହା ମଧ୍ୟ ଅସରପା ମାରିବାରେ ସାହାଯ୍ୟ କରିବ।
– ଏକ ବାଲ୍‌ଟି ପାଣିରେ ୨ କପ୍‌ ଆମୋନିଆ ମିଶାଇ କିଚେନ୍‌ ସହିତ ଘରର ଅନ୍ୟ ଚଟାଣଗୁଡ଼ିକୁ ମଧ୍ୟ ଭଲ ଭାବେ ପୋଛି ଦିଅନ୍ତୁ। ପ୍ରତି ଦୁଇ ସପ୍ତାହରେ ଥରେ ଏପରି କରିବା ଦ୍ୱାରା ଅସରପା ସମ୍ପୂର୍ଣ୍ଣ ଦୂର ହୋଇଯିବେ।
– ୩-୪ଟି ତେଜପତ୍ରକୁ ଖରାରେ ଭଲ ଭାବେ ସୁଖାଇ ଗୁଣ୍ଡ କରିଦିଅନ୍ତୁ। କିଚେନ୍‌ରେ ଅସରପା ହେଉଥିବା ସ୍ଥାନଗୁଡ଼ିକରେ ଏହି ଗୁଣ୍ଡ ଛିଞ୍ଚିଦିଅନ୍ତୁ ଦେଖିବେ ଅସରପା ଚାଲିଯିବେ।