ଘରୁ ବାହାରିଲା ୩୫ ନାଗଛୁଆ

ଧାମନଗର, ୨୭।୬ (ଡି.ଏନ.ଏ.) – ଧାମନଗର ଗୋଖାଦିକି ସାହିର ଲକ୍ଷ୍ମୀଧର ମଳିକଙ୍କ ମାଟିଘରୁ ବୁଧବାର ୩୫ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଦୁଇ ତିନିଦିନ ଧରି ଲକ୍ଷ୍ମୀଧରଙ୍କ ଘରେ ନାଗଛୁଆ ଖେଳୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଭୟରେ ଘର ଛାଡ଼ି ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇ ସାପଧରାଳିଙ୍କୁ ଖବର ଦେଇଥିଲେ। ସ୍ନେକହେଲ୍ପର ସେକ୍‌ ମିର୍ଜା ବୁଧବାର ପହଞ୍ଚି ଲକ୍ଷ୍ମୀଧରଙ୍କ ୫ ବଖରା ମାଟିଘରକୁ ସମ୍ପୂର୍ଣ୍ଣ ତାଡ଼ି ଦେଇ ସାପଗାତରୁ ନାଗଛୁଆ ଉଦ୍ଧାର କରିଥିଲେ। ହେଲେ ନାଗ କି ନାଗୁଣୀ ଧରା ପଡ଼ି ନ ଥିବାରୁ ଭୟର ବାତାବରଣ ରହିଛି। ଅପରାହ୍ନରେ ଏହି ବ୍ଲକର ଆନନ୍ଦପୁରଠାରେ ସାପ ବାହାରିବାର ସନ୍ଧାନ ମିଳିବା ପରେ ସେକ୍‌ ମିର୍ଜା ସେଠାକୁ ଯାଇ ସାପ ଖୋଜିବାରେ ଲାଗିପଡ଼ିଥିଲେ।