Categories: ଜାତୀୟ

ଘରୁ ଲୁଚି ଗଣେଶଙ୍କ ପୂଜା କଲେ ଦୁଇ ମୁସଲମାନ୍‌ ନାବାଳକ

ରାୟପୁର,୪।୯: କୁହାଯାଏ ଛୋଟ ପିଲା ହେଉଛନ୍ତି ଭଗବାନଙ୍କ ରୂପ। ସେମାନଙ୍କ ମଧ୍ୟରେ କୌଣସି ଧର୍ମ,ଜାତି,ସମ୍ପ୍ରଦାୟ ଅଥବା ବର୍ଣ୍ଣ ପ୍ରତି ଜ୍ଞାନ ନ ଥାଏ। ଛତିଶଗଡ଼ ରାୟପୁରରେ ଏଭଳି ଏକ ନିଆରା ଘଟଣା ଘଟିଛି। ଏଠାରେ ବାସ କରୁଥିବା ରମ୍‌ଜାନ ଏବଂ ମୁବାରକ ଘରୁ ଲୁଚି ସ୍ଥାନୀୟ ରେଲଓ୍ବେ ଫାଟକଠାରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ରମଜାନ୍‌ ସ୍ବପ୍ନରେ ଗଣେଶଙ୍କୁ ଦେଖିଥିବା କଥା ତାଙ୍କ ସାଙ୍ଗ ମୁବାରକଙ୍କୁ କହିଥିଲେ। ଏହାପରେ ଦୁଇ ସାଙ୍ଗ ଗଣେଶ ପୂଜା କରିବା ପାଇଁ ଘରୁ ଲୁଚି ପଳାଇଥିଲେ। ସ୍ଥାନୀୟ ଶାରଦା ବିହାର କଲୋନୀରେ ଘର ଘର ବୁଲି ଗଣେଶ ପୂଜା ଲାଗି ଚାନ୍ଦା ସଂଗ୍ରହ କରି ରେଲଓ୍ବେ ଫାଟକଠାରେ ବାଉଁଶ ତାଟିରେ ଛୋଟ ପେଣ୍ଡାଲ ତିଆରି କରି ସେଠାରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ଲୋକେ ପେଣ୍ଡାଲ ଦେଖି ସେଠାରେ ପୂଜା କରିବାକୁ ଆସିଥିଲେ। ଦୁଇ ନାବାଳକଙ୍କୁ ସ୍ଥାନୀୟ ଲୋକେ ଖାଦ୍ୟ ମଧ୍ୟ ଖାଇବାକୁ ଦେଇଥିଲେ। ତେବେ ଦୁଇଦିନ ଧରି ଘରୁ ରମଜାନ୍‌ ଏବଂ ମୁବାରକ ନିଖୋଜ ହେବା ପରେ ପରିବାର ସଦସ୍ୟ ପୋଲିସ ଥାନାରେ ଖବର ଦେଇଥିଲେ। ପୋଲିସ ସହରସାରା ଦୁଇ ନାବାଳକଙ୍କ ଖୋଜିବା ପରେ ରେଲଓ୍ବେ ଫାଟକ ପାଖରୁ ତାଙ୍କୁ ଉଦ୍ଧାର କରିଥିଲେ। ପଚରାଉଚରା ପରେ ଦୁଇ ନାବାଳକ ସତ କଥା ପ୍ରକାଶ କରିଥିଲେ। ତାଙ୍କ ଉତ୍ତର ସମସ୍ତଙ୍କୁ ଚକିତ କରିଦେଇଛି।

Share