ଭାଇଜାଗ,୭।୫: ଆନ୍ଧ୍ରପ୍ରଦେଶର ଭାଇଜାଗରେ ଥିବା ଏଲ୍ଜି ପଲିମର୍ସରେ ଗୁରୁବାର ସକାଳୁ ହୋଇଥିବା ଗ୍ୟାସ ଲିକ୍ ପରେ ସେଠାକାର ଆଖପାଖରେ ଥିବା ହଜାର ହଜାର ଲୋକ ଅସୁସ୍ଥ ହୋଇ ପଡିଛନ୍ତି। ଏମିତିକି ସେହି ଅଞ୍ଚଳର ପାଖାପାଖି ଥିବା ଲୋକେ ଘର ଭିତରେ ଥାଇ ମଧ୍ୟ ବେହୋସ୍ ହୋଇପଡିଥିବା ଦେଖାଯାଇଛି। ରାସ୍ତା ଉପରେ ଯିଏ ଯେଉଁଠି ବେହୋସ ହୋଇ ପଡିଯିବା ସହ କେତେଜଣ ନିକଟରେ ଥିବା ନାଳରେ ମଧ୍ୟ ପଡିଯାଇଥିବା ଦେଖାଯାଇଛି। ଘରେ ଥାଇ ଯେଉଁମାନେ ବେହୋସ ହୋଇଯାଇଛନ୍ତି ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରାଯାଉଛି। ଏହି ଘଟଣାରେ ଅଧିକାଂଶ ଶିଶୁ ଅସୁସ୍ଥ ହୋଇ ପଡିଥିବା ବେଳେ ଘରେ ସୁସ୍ଥଥିବା ଲୋକଙ୍କୁ ଘରୁ ନ ବାହାରିବା ଓ ମାସ୍କ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ରାସ୍ତା ଉପରେ ଏଣେତେଣେ ବେହୋସ ହୋଇ ପଡିଯାଇଥିବା ଲୋକଙ୍କୁ ଏନ୍ଡିଏମ୍ଏର କର୍ମଚାରୀ ଉଦ୍ଧାର କରି ହସ୍ପିଟାଲ ପଠାଉଥିବା ଦେଖାଯାଇଛି।