Advertisement

ଘରେ ଥାଇ ପାଇପାରିବେ ସଜ ପନିପରିବା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଗ୍ରହୀ ଗ୍ରାହକଙ୍କୁ ମନପସନ୍ଦର ସଜ ପନିପରିବା ଉଚିତ୍‌ ଦାମରେ ଯୋଗାଇ ଦେବା ଲାଗି ପନିପରିବା ଡଟ୍‌ କମ୍‌ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ PaniPariba.com ପୋର୍ଟାଲ ଆରମ୍ଭ କରାଯାଇଛି। ଲୋକମାନେ ଏହି ପୋର୍ଟାଲକୁ ଯାଇ ଯେଉଁ ପରିବା କିଣିବାକୁ ଚାହୁଁଥିବେ ଅର୍ଡର ଦେଇପାରିବେ। ଅତିକମ୍‌ରେ ୨୦୦ଟଙ୍କାର ପରିବା କିଣିଲେ ବିନା ଚାର୍ଜରେ ହୋମ୍‌ ଡେଲିଭରି ହେବ। ଏହାଠାରୁ କମ୍‌ ଟଙ୍କାରେ ପରିବା କିଣିଲେ ଡେଲିଭରି ଚାର୍ଜ ୩୦ଟଙ୍କା ରହିଛି। ପରିବା ଘରେ ପହଞ୍ଚିବା ପରେ ଯାଇ ଗ୍ରାହକଙ୍କଠାରୁ ଟଙ୍କା ନିଆଯିବ। ତେବେ ଏହା ବର୍ତ୍ତମାନ କେବଳ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ସୋମବାରଠାରୁ ଭୁବନେଶ୍ୱରବାସୀ ଏହି ସୁବିଧାର ଲାଭ ଉଠାଇପାରିବେ। ଭବିଷ୍ୟତରେ ଓଡ଼ିଶା ସହ ଦେଶର ୫୬ ସହରରେ ଏହି ସେବା ଯୋଗାଇବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ପନିପରିବା ଡଟ କମ୍‌ ପ୍ରତିଷ୍ଠାତା ରଞ୍ଜନ କୁମାର ସାହୁ। ଶୁକ୍ରବାର ପ୍ରେସ୍‌ କ୍ଲବ୍‌ରେ ପୋର୍ଟାଲର ଶୁଭାରମ୍ଭ ହୋଇଯାଇଛି। ସାମାଜିକକର୍ମୀ ଭି.ଭି. ଅମରନାଥ ଗିରି ମୁଖ୍ୟଅତିଥି ଭାବେ ଯୋଗଦେଇ ପୋର୍ଟାଲକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ରଞ୍ଜନ କୁମାର ସାହୁ କହିଛନ୍ତି, ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦ ଚାଷୀଙ୍କୁ ଏଥିରେ ସମ୍ପୃକ୍ତ କରାଯାଇଛି। ସେମାନଙ୍କ ପାଖରୁ ସିଧାସଳଖ ପରିବା କିଣାଯାଇ ସେଥିରୁ ଠିକ ଗୁଣମାନର ପନିପରିବା ବାଛି ଲୋକଙ୍କୁ ଯୋଗାଇ ଦିଆଯିବ। ଚାଷୀଙ୍କଠାରୁ ସିଧାସଳଖ ପରିବା କିଣାଯାଉଥିବାରୁ ମଧ୍ୟସ୍ଥଙ୍କ ଜରିଆରେ ଚାଷୀର ଶୋଷଣ ବନ୍ଦ ହୋଇ ସେମାନଙ୍କୁ ଉଚିତ୍‌ ମୂଲ୍ୟ ମିଳି ପାରିବ। ଯେହେତୁ ଏହା ଲୋକଙ୍କୁ ସିଧାସଳଖ ପନିପରିବା ପହଞ୍ଚାଇବାରେ ବିଶ୍ୱାସ ରଖେ ତେଣୁ ଏହା କୌଣସି କୋଲ୍ଡ ଷ୍ଟୋରେଜ୍‌ ସହିତ ସମ୍ପର୍କରେ ନାହିଁ। ପ୍ରତ୍ୟହ ଠିକ ସମୟରେ ଚାଷୀଙ୍କଠାରୁ ପରିବା ଆଣି ଠିକ ସମୟରେ ତାଜା ତାଜା ଲୋକଙ୍କୁ ଯୋଗାଇଦିଆଯିବ। ପନିପରିବା ଡଟ୍‌ କମ୍‌ ଏହାର ସାମାଜିକ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ତାଜା ରଖିବାକୁ ପନିପରିବାରେ କୌଣସି ରାସାୟନିକର ବ୍ୟବହାର କରିବ ନାହିଁ। ସେହିପରି ଏହାର ପ୍ୟାକେଜିଂ ପାଇଁ ସବୁବେଳେ ପରିବେଶ ଉପଯୋଗୀ ତଥା ସହଜରେ ମାଟିରେ ମିଶିଯାଉଥିବା ସାମଗ୍ରୀର ବ୍ୟବହାର କରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share