ଘରେ ଥାଇ ବି ବୟସ୍କ ହୋଇଛନ୍ତି ସଂକ୍ରମିତ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଶିଶୁଠାରୁ ବୁଢ଼ା, କାହାକୁ ଛାଡ଼ୁନି କରୋନା। ତେବେ କେଉଁ ବୟସର ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ଆସିପାରେ, ସେ ବିଷୟରେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। କରୋନା ସହ ଲଢୁଥିବା ଅନ୍ୟ ଦେଶମାନଙ୍କ ଅନୁଭୂତିକୁ ତର୍ଜମା କରାଯାଇ ଜଣାପଡିଛି ଯେ, ଯଦି ୪୦ରୁ ୫୦ବର୍ଷ ବୟସରେ ହଜାରେ ଜଣ ଆକ୍ରାନ୍ତ ହୁଅନ୍ତି, ସେଥିମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଆଶଙ୍କା ରହିଥାଏ। କିନ୍ତୁ ୫୦-୬୦ ବର୍ଷ ବୟସ୍କ ଆକ୍ରାନ୍ତଙ୍କ କ୍ଷେତ୍ରରେ ୧୨.୫ ପ୍ରତିଶତ ମୃତ୍ୟୁ ଘଟିଥାଏ। ବିଶେଷକରି ଯଦି ୬୦ ବର୍ଷ ବୟସରେ ଏକ ହଜାର ଜଣ ଆକ୍ରାନ୍ତ ହୁଅନ୍ତି, ତେବେ ୪୦ ଜଣଙ୍କର ମୃତ୍ୟୁ ହୋଇଥାଏ। ସେହିଭଳି ୭୦-୮୦ ବର୍ଷ ବୟସର ପ୍ରତି ହଜାର ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ ଓ ଏହାଠାରୁ ଅର୍ଥାତ୍‌ ୮୦ବର୍ଷରୁ ଅଧିକ ବୟସ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଥାଏ। ତେଣୁ ଓଡ଼ିଶାର ଜନସଂଖ୍ୟା ସାଢ଼େ ଚାରି କୋଟି ଏବଂ ସେଥିରୁ ପ୍ରାୟ ୧୦ ପ୍ରତିଶତ ବା ୪୫ ଲକ୍ଷ ବୟସ୍କ ନାଗରିକ ରହିଛନ୍ତି। ଆଉ ରାଜ୍ୟରେ ମୋଟ୍‌ ୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୧.୭ ପ୍ରତିଶତ ବୟସ୍କ ବ୍ୟକ୍ତି ଯେଉଁମାନଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ସେମାନଙ୍କ ଦେହରେ କରୋନା ବାହାରିଛି। ହେଲେ ଏମାନଙ୍କ ମଧ୍ୟରେ ଅନେକ ଘରୁ ବାହାରି ନାହାନ୍ତି। କିନ୍ତୁ ଏମାନେ ସଂକ୍ରମଣର ଶିକାର ହୋଇଛନ୍ତି। କେହି ନା କେହି ଘର ଭିତରକୁ କରୋନାକୁ ଡାକି ଆଣିଛନ୍ତି। ତେଣୁ ଏମାନେ ଘରେ ଥେଇ ବି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି। ତେଣୁ ଯେଉଁମାନେ ବାହାରୁ ଆସୁଛନ୍ତି, ଏଭଳି ସ୍ଥିତିରେ ନିଜ ପରିବାର ଲୋକଙ୍କୁ ବା ବୟସ୍କଙ୍କୁ ସୁସ୍ଥ ରଖିବା ପାଇଁ ନିଜକୁ ସଙ୍ଗରୋଧରେ ରଖନ୍ତୁ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି। କାରଣ ୬୦ ବର୍ଷରୁ ବୟସ୍କ ବ୍ୟକ୍ତିଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଥାଏ। ଆଉ ୭୦ ବର୍ଷୀୟ ବ୍ୟକ୍ତିଙ୍କ ଦେହରେ ଅନ୍ୟାନ୍ୟ ରୋଗ ଦେଖାଯାଏ। ତେଣୁ ସଚେତନ ହୁଅନ୍ତୁ ଏବଂ ଯଦି ଆପଣ ବାହାରୁ ଫେରିଛନ୍ତି କିମ୍ବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେବେ ନିଜକୁ କ୍ୱାରାଣ୍ଟାଇନ୍‌ର ରଖନ୍ତୁ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।

Share