ଘରେ ପଶିଲା ବର୍ଷାପାଣି, ତଳିଆ ଅଞ୍ଚଳ ଜଳମଗ୍ନ

ପୁରୀ ଅଫିସ, ୨୪ା୧୦:ଲଘୁଚାପଜନିତ ଲଗାଣ ବର୍ଷାରେ ପୁରୀ ଅବସ୍ଥା ସଙ୍ଗିନ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବଡ଼ଦାଣ୍ଡ ସମେତ ଅନେକ ସାହିଗଳି ରାସ୍ତାରେ ପାଣି ଜମିଛି। କେତେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। ବସ୍ତି ଓ ତଳିଆ ଅଞ୍ଚଳର ଲୋକଙ୍କ ସ୍ଥିତି ଅଧିକ ଦୟନୀୟ ହୋଇପଡ଼ିଛି। କେତେକ ବସ୍ତିବାସିନ୍ଦା ଘର ଛାଡ଼ିି ସ୍କୁଲ, ସରକାରୀ କୋଠା ଏବଂ ରାସ୍ତା ପାର୍ଶ୍ୱରେ ଆଶ୍ରୟ ନେଇଛନ୍ତି। ପ୍ରବଳ ବର୍ଷାକୁ ଦେଖି ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ଜିଲାର ସବୁ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଥିଲା। ବର୍ଷା କମୁ ନ ଥିବାରୁ ଲୋକେ ଆଶଙ୍କିତ ହୋଇପଡ଼ିଛନ୍ତି। ଜିଲା ଜରୁରିକାଳୀନ ଅଧିକାରୀ ଇତିଶ୍ରୀ ନାୟକଙ୍କ ସୂଚନା ମୁତାବକ, ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜିଲାରେ ହାରାହାରି ୮୮.୭୨ ମିଲିମିଟର ବର୍ଷା ହୋଇଛି।
ମଙ୍ଗଳବାର ରାତିରୁ ପୁରୀରେ ବର୍ଷା ଲାଗି ରହିଛି। ଫଳରେ ବଡ଼ଦାଣ୍ଡ ସମେତ ବେଳାଭୂମି ମାର୍ଗ ଓ ବତିଘର ନିକଟ ରାସ୍ତାରେ ପାଣିର ସୁଅ ଛୁଟିଥିଲା। ଭିଆଇପି ରୋଡର ରିଜର୍ଭ ଗ୍ରାଉଣ୍ଡ, ଷ୍ଟେଟ ବ୍ୟାଙ୍କ ଛକ, ବେଳାଭୂମି ମାର୍ଗର ରେଣୁକା ଗଳି ଛକ, ଲାଇଟ୍‌ ହାଉସ ପାଖରେ ବର୍ଷା ପାଣି ଜମିଥିଲା। ଭିଆଇପି ରୋଡ୍‌ର ରିଜର୍ଭ ବାରାକ ନିକଟ ରାସ୍ତାରେ ୨ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚର ପାଣି ସୁଅ ଚାଲିଥିଲା। ମେଡିକାଲ ଛକରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଗାଡ଼ିି ଚଳାଚଳରେ ବାଧା ଉପୁଜିଥିଲା। ଡ୍ରେନ୍‌ଗୁଡ଼ିକ ପୂରିଯାଇ ରାସ୍ତାକୁ ଉଚ୍ଛୁଳିଥିଲା ମଇଳା ପାଣି। ବର୍ଷା ପାଣି ସହିତ ଡ୍ରେନ୍‌ପାଣି ମିଶି ବହୁ ଲୋକଙ୍କ ଘରେ ପଶିଥିଲା। ମାଟିତୋଟା, ସୁଜାତା ନଗର, ତାରିଣୀ ବସ୍ତି, ବଳିଆପଣ୍ଡା ବସ୍ତି, ଧୋବାଖାଲ ବସ୍ତି, ଶ୍ରୀକ୍ଷେତ୍ର କଲୋନୀ, ଗୋପୀନାଥପୁର ସମେତ ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି। ଫଳରେ ଲୋକେ ରାସ୍ତା ଉପରେ ଜରିପାଲ ବାନ୍ଧି ଆଶ୍ରୟ ନେଇଛନ୍ତି। ସେହିପରି ଲୋକନାଥ ମନ୍ଦିର ବେଢା ପରିସର ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଛି।