ଘରେ ପଶି ଟଙ୍କା, ସୁନା ଲୁଟିଲେ ଦୁର୍ବୃତ୍ତ

ଉଦଳା,୨୪ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ଲୁଟେରାଙ୍କ ଉପଦ୍ରବ ବଢି ଚାଲିଛି। ଗତ ସପ୍ତାହକ ମଧ୍ୟରେ ଲୁଟେରାମାନେ ୫ଟି ସ୍ଥାନରୁ ଲୁଟ୍‌ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ମଙ୍ଗଳବାର ସ୍ପଷ୍ଟ ଦିବାଲୋକରେ ୨ଟି ଲୁଟ୍‌ ହୋଇଥିବା ବେଳେ ବିଳମ୍ବିତ ରାତିରେ ପୁଣି ଜଣଙ୍କ ଘରେ ଲୁଟେରା କଳାକନା ବୁଲାଇଛନ୍ତି। ଏହା ଏବେ ପୋଲିସ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ା
ସୂଚନା ଅନୁଯାୟୀ, ସ୍ଥାନୀୟ ପାଟପୁର ଗ୍ରାମର ଅଞ୍ଜନ ସାହୁଙ୍କ ପରିବାର ଲୋକେ ମଙ୍ଗଳବାର ରାତିରେ ଖାଇ ସାରି ଶୋଇଥିଲେ ା ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘର କବାଟ ଭାଙ୍ଗି ଭିତରେ ପଶିବା ସହିତ ଗଡରେଜ୍‌ରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି ା ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଛାନଭିନ୍‌ ଆରମ୍ଭ କରିଛି। ବାରିପଦାରୁ ଆସିଥିବା ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ ପୋଲିସ୍‌ ତଦନ୍ତ ଜାରି ରଖିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଇ ପାରିନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ତାରିଖରେ ଉଦଳା-ଦୁଗୁଧା ରାସ୍ତାର କେନାଲ ନିକଟରେ ଜଣେ ଭିଏଲଡବ୍ଲ୍ୟୁଙ୍କ ନିକଟରୁ ୨ ଲକ୍ଷ ୮୬ ହଜାର ଟଙ୍କା ଲୁଟ ସାଙ୍ଗକୁ ଜଣେ ଅଧ୍ୟାପିକାଙ୍କ ସୁନାହାର ଛିନତାଇ ହୋଇଥିଲା। ମଙ୍ଗଳବାର ଉଦଳା ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏକ ବାଇକ୍‌ ଲୁଟ ହେବା ସହିତ କୃଷକ ବଜାର ନିକଟରୁ ଏକ ସ୍କୁଟିରେ ଥିବା ୫୦ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିଲେ ା ଦିନକୁ ଦିନ ଉଦଳାରେ ଲୁଟ୍‌ ତରାଜ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।