ଘରେ ପଶି ଯୁବକଙ୍କୁ ଗୁଳିମାଡ଼

ପାଟଣାଗଡ଼, ୩୦ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଗଙ୍ଗାସାଗର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପଶି ମୁଖାପିନ୍ଧା ଦୁର୍ବୃତ୍ତ ରବିବାର ବିଳମ୍ବିତ ରାତିରେ ଆତଙ୍କ ଖେଳାଇଥିଲେ। ତାଙ୍କ ଗୁଳିମାଡ଼ରେ ଗୃହକର୍ତ୍ତା ନବୀନ ମେହେର(୪୦) ଗୁରୁତର ହୋଇଛନ୍ତି। ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହାସପାତାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ନବୀନଙ୍କ ମା’ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହି ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ। ପୋଲିସ ତନାଘନା ଚଳାଇଥିଲେ ବି ବିଶେଷ କିଛି ସୁରାକ ପାଇ ପାରିନାହିଁ।
ଅଭିଯୋଗ ଅନୁସାରେ ଗଁା ଶେଷମୁଣ୍ଡରେ ନବୀନ ଓ ତାଙ୍କ ମା’ ରୁହନ୍ତି। ବିଳମ୍ବିତ ରାତିରେ ତାଙ୍କ ଘର କବାଟ କେହି ବାଡଉ ଥିବା ଶୁଣି ନବୀନ କବାଟ ଖୋଲିଥିଲେ। ଏହି ସମୟରେ ମୁଖାପିନ୍ଧି ଥିବା ଜଣେ ବ୍ୟକ୍ତି ଘର ଭିତରକୁ ଧସେଇ ପଶିଥିଲେ। ଅଜଣା ବ୍ୟକ୍ତି ଜଣକ ନିଜକୁ ମାଓବାଦୀ ପରିଚୟ ଦେଇ ଭୟଭୀତ କରିଥିଲେ। କିଛି କହିବା ପୂର୍ବରୁ ସେ ଏକ ପିସ୍ତଲରେ ନବୀନଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ବାମ ହାତ କହୁଣୀ ଉପରେ ବାଜିଥିଲା। ଗୁଳିମାଡ ପରେ ଦୁର୍ବୃତ୍ତ ସେଠାରୁ ଖସି ପଳାଇ ଯାଇଥିଲେ। ତେବେ ସଂପୃକ୍ତ ବ୍ୟକ୍ତି କିଏ, ସେ ନବୀନଙ୍କୁ କାହିଁକି ଗୁଳିମାଡ଼ କଲେ ତାହା ସ୍ପଷ୍ଟ ହୋଇନାହିଁ ା ପୋଲିସ ବିଭିନ୍ନ ଦିଗକୁ ଆଖି ଆଗରେ ରଖି ତଦନ୍ତ ଚଳାଇଛି ା