ଘରେ ପଶି ୮୦ ହଜାର ଲୁଟିନେବା ସହ ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ମୋବାଇଲ ଛାଡ଼ି ଚାଲିଗଲେ ଲୁଟେରା, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୬।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କିଛିଦିନର ନିରବତା ପରେ ପୁଣି ଲୁଟ୍‌ପାଟ ଆରମ୍ଭ ହୋଇଛି। ଆଗକୁ ଶାରଦୀୟ ପୂଜା ରହିଥିବା ବେଳେ ଏବେ ଚୋରି ଡକାୟତି ବୃଦ୍ଧି ପାଇଛି। ଏଭଳି ଏକ ଘଟଣା ରବିବାର ବିଳମ୍ବିତ ରାତିରେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ବାଇମାଲା ଗ୍ରାମରେ ଘଟିଛି। ଘରେ ଦୁଇଜଣ ମହିଳା ଥିବା ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ପଛପାଖ କାନ୍ଥ ଭାଙ୍ଗି ଘରେ ପଶି ମହିଳାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିବା ସହ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଏନେଇ ଶାଶୁ ନିବାଜିନୀ ଦିଗାଳ ଏବଂ ବୋହୂ ସିଲା ଦିଗାଳ ଅଭିଯୋଗ କରିଛନ୍ତି। ଲୁଟ୍‌ ସମୟରେ ଶାଶୁବୋହୂ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିବା ବେଳେ ଧସ୍ତାଧସ୍ତି ହୋଇ ଦୁର୍ବୃତ୍ତ ଜଣକ ମୋବାଇଲ ଛାଡ଼ି ପଳାଇଛନ୍ତି। ମୋବାଇଲକୁ ନେଇ ଦାରିଙ୍ଗବାଡ଼ି ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଯେ, ଶାଶୁ ଏବଂ ବୋହୂ ଦୁହେଁ ରବିବାର ସିମନବାଡ଼ିର ଏକ କିଓସ୍କୋ ବ୍ୟାଙ୍କରୁ ୮୦ହଜାର ଟଙ୍କା ଉଠାଇ ନିଜ ଗ୍ରାମକୁ ଯାଇଥିଲେ। ରବିବାର ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଘରେ ପଶି ଏହି ଲୁଟ୍‌ କରିବା ସହ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଥିରେ ବୋହୂ ସିଲା ଦିଗାଲଙ୍କ ହାତ ଏବଂ ଗୋଡ଼ରେ ଆଘାତ ଲାଗିଛି। ଏନେଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି।

Share