ଘରେ ପହଞ୍ଚିବା ସ୍ବପ୍ନ ଅଧୁରା ରହିଲା

ସୋନପୁର,୨୮ା୫(ନି.ପ୍ର.)  ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢି ଚାଲିଛି। ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗକୁ ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଶ୍ରମିକଙ୍କ ନାମ ଜମିରୁଲ ଇସଲାମ(୩୮)। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜମିରୁଲଙ୍କ ସ୍ବାବ୍‌ ନମୁନା ସଂଗ୍ରହ ପରେ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ବୁଧବାର ମୃତଦେହ ବ୍ୟବଚ୍ଛେଦ ସରିଛି। ସମ୍ପର୍କୀୟମାନେ ପହଞ୍ଚିବା ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି । ପ୍ରକାଶ ଯେ, ୧୪ ଜଣ ବଙ୍ଗୀୟ ଶ୍ରମିକ ମୁମ୍ବାଇର ଏକ କାରଖାନାରେ କାମ କରୁଥିଲେ। ଲକ୍‌ଡାଉନ୍‌ ପରେ କାରଖାନା ବନ୍ଦ ହୋଇ ଯିବାରୁ ସେମାନେ ଭୋକ ଉପାସରେ ରହିଥିଲେ। କଟକଣା କୋହଳ ପରେ ଶ୍ରମିକମାନେ ନିଜ ଘର ହାୱଡା ଜିଲାର ଖଜାପୁର ଅଭିମୁଖେ ଯାଉଥିଲେ। ଗାଡିଭଡା ପାଇଁ ଟଙ୍କା ନ ଥିବାରୁ ମୁମ୍ବାଇରୁ ବିଭିନ୍ନ ଯାନବାହନରେ ଲିଫ୍ଟ ମାଗି ଛତିଶଗଡର ରାୟପୁର ପର୍ଯ୍ୟନ୍ତ ଆସିଥିଲେ। ଓଡ଼ିଶା ସୀମାରେ ପହଞ୍ଚିଲା ପରେ ପୋଲିସ ସେମାନଙ୍କୁ ଏକ ବସ୍‌ ଛାତ ଉପରେ ବସାଇ ଦେଇଥିଲା। ବସ୍‌ଟି ଶ୍ରମିମାନଙ୍କୁ ସୋନପୁର ଜଙ୍ଗଲ ରାସ୍ତାରେ ଛାଡି ଚାଲି ଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ବଙ୍ଗୀୟ ଶ୍ରମିକମାନେ ରାସ୍ତାରେ ଚାଲି ଚାଲି ସୋନପୁର ପଟକୁ ଆସୁଥିଲେ। କଳାପଥର ନିକଟରେ ଜମିରୁଲ ଅସୁସ୍ଥତା ଅନୁଭବ କରି ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ଶ୍ରମିକଙ୍କୁ ହାତୀଶାଳ କଲ୍ୟାଣ ମଣ୍ଡପସ୍ଥିତ ଟିଏମ୍‌ସି(ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର)କୁ ଆଣିଥିଲେ। ଡାକ୍ତରୀ ଦଳ ଶିବିରରେ ପହଞ୍ଚି ଜମିରୁଲଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଚଣ୍ଡ ଖରାରେ ଅଂଶୁଘାତଜନିତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Share